କନକ ବ୍ୟୁରୋ : ଗାଁ ଦାଣ୍ଡ ଓ ପାହାଡ଼ ଉପରେ ପୂଜାର୍ଚ୍ଚନା। ସକାଳୁ ଆରମ୍ଭ ହୋଇଥିବା ପୂଜାର୍ଚ୍ଚନା ବିଳମ୍ବିତ ରାତିରେ ଶେଷ ହୋଇଛି । ୩ ଖଣ୍ଡ ବାଉଁଶକୁ ପୂଜା କରାଯାଉଛି । ଭାଦ୍ରବ ମାସର ମଙ୍ଗଳବାର ଓ ଶନିବାର ଦିନ ପାଳିତ ଏହି ପୂଜାକୁ ନଳ ପର୍ବ ବୋଲି କୁହାଯାଏ । ଏହା ସଂପୃକ୍ତ ଅଞ୍ଚଳର କୃଷିଭିତ୍ତିକ ପର୍ବ । ଗଂଜାମ ଜିଲ୍ଲାର ଆସିକା ଓ ବେଲଗୁଣ୍ଠା ବ୍ଲକର କେତେକ ଗାଁରେ ଏହି ପର୍ବ ପାଳନ କରାଯାଇଛି । 

Advertisment

 ପୂଜା ପାଇଁ ଜଙ୍ଗଲରୁ ତିନୋଟି ୧୨ ଫୁଟ ଲମ୍ବର ବାଉଁଶ  ସଂଗ୍ରହ କରାଯାଏ। ଗାଁ ମଣ୍ଡପରେ ସେଗୁଡିକୁ ଗଙ୍ଗା ଜଳ ପକାଇ ଶୋଧନ କରିବା ପରେ ଗାଁର ଆରଧ୍ୟା ଦେବୀ ମା’ କନ୍ଧୁଣୀ, ମା’ ରତନେଇ ଓ ମା’ କାଳୀ ରୂପେ ରଙ୍ଗବେରଙ୍ଗର କପଡ଼ା ଓ ଫୁଲରେ ସଜା ଯାଇଛି । ଗାଁ ମନ୍ଦିରରେ ହୋମଯଜ୍ଞ କରି ମାଆଙ୍କୁ ଆବାହନ କରାଯାଏ । ୩ ଜଣ ବ୍ୟକ୍ତି ତିନୋଟି ନଳ ଧରି ଗାଁରେ ବୁଲିଥାନ୍ତି । ଘରେ ଘରେ ପୂଜାର୍ଚ୍ଚନା ପରେ ପାହାଡ଼ ଉପରରେ ମାଆ ବନଦୁର୍ଗାଙ୍କ ପୂଜା କରାଯାଏ। ଜଣେ ଆଦିବାସୀ ପୂଜକ ଏହି ପୂଜା କରିଥାନ୍ତି । ସେଠାରେ ବଳି ଦିଆଯାଇଥାଏ । ତାକୁ ଗିରି ପୂଜା ବୋଲି କହିଥାନ୍ତି ସ୍ଥାନୀୟ ଲୋକେ। 

କାହିଁ କେଉଁ କାଳରୁ ପାଳନ ହୋଇଆସୁଛି ନଳ ପର୍ବ । ଏହି ପର୍ବ ପାଳନ କରିବା ଦ୍ୱାରା ଭଲ ବର୍ଷା, ଭଲ ଫସଲ ଓ  ରୋଗପୋକ ଦାଉରୁ ଫସଲକୁ ସୁରକ୍ଷା ମିଳିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଜାତି, ଧର୍ମ ସବୁ ଭେଦ ଭାବ ଭୁଲି ସବୁ ଲୋକ ଏକାଠି ହୋଇଥାନ୍ତି ।