କନକ ବ୍ୟୁରୋ : ହରିଆଣାରେ ତୃତୀୟ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି । ନାଏବ ସିଂ ସୈନି ପୁଣିଥରେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଅନିଲ ବିଜ୍ ନାଏବ ସିଂ ସୈନିଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଭାବେ ନାଏବସିଂ ସୈନି ନିର୍ବାଚିତ ହୋଇଛନ୍ତି । ହେଲେ ମନ୍ତ୍ରୀମଣ୍ଡଳରେ ଅନ୍ୟ କାହାକୁ ଜାଗା ମିଳିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
ଅକ୍ଟୋବର ୮ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ୯ ତାରିଖରେ ସୈନି କହିଥିଲେ କି, କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ । ଏହା ସହ ସୈନି ୯ ତାରିଖରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଥିଲେ ।
୯୦ ଆସନ ବିଶିଷ୍ଠ ହରିଆଣା ବିଧାନସଭା ନିର୍ବାଚନରେ ବିଜେପି ୪୮ ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୭ ଟି ଆସନରେ ବିଜୟୀ ହୋଇଥିଲା । ବିଜେପି ଏକାକୀ ବହୁମତ ହାସଲ କରି ହରିଆଣାରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ।