କନକ ବ୍ୟୁରୋ: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ନାଗାବଳୀ ନଦୀର ଜଳସ୍ତର ବଢ଼ୁଛି । ନଈର ରୂପ ଦେଖିଲେ ଲାଗୁଛି କେତେବେଳେ ଗାଁକୁ ବି ଗିଳିଦେବ । ନଦୀ ଅବବାହିକାରେ ଥିବା ଜିଲ୍ଲାର ୭୧ ଖଣ୍ଡ ଗାଁରେ ଏବେ ବିପଦ ଦେଖାଦେଇଛି । ମାଟି ଅତଡ଼ା ଖସି ନଦୀ ଗାଁ ମୁହାଁ ହେବାରେ ଲାଗିଛି । ଫଳରେ ଅନେକ ଚାଷ ଜମି ନଷ୍ଟ ହେବା ସହ ଲୋକେ ଭୟରେ ରାତ୍ରିଯାପନ କରୁଛନ୍ତି ।

Advertisment

ନାଗାବଳୀର ନାଲି ଆଖି
ଭୟଭୀତ ୭୧ଖଣ୍ଡ ଗ୍ରାମବାସୀ
ଅତଡ଼ା ଖସୁଛି, କୂଳ ଖାଉଛି

ରାୟଗଡ଼ା ସଦର ମହକୁମାରୁ ମାତ୍ର ୩ କିମି ଦୂରରେ ଥିବା ମାରିଗୁଡ଼ା ଗାଁର ଭୟଙ୍କର ଦୃଶ୍ୟ । ନଦୀର ମାଟି ଅତଡ଼ା ଖସି ଗାଁ ମୁହାଁ ହେଉଛି । ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଯାଇଛି । ଜମି ଗଲାଣି, କେତେବେଳେ ଗାଁ ବି ବୁଡ଼ିଯିବ ତା’ କହିହେବନି । ଭୟଭୀତ ହୋଇ ସ୍ଥାନୀୟ ଲୋକ କାମ ଧନ୍ଦା ଛାଡ଼ି ନଦୀ ପାଖରେ ଜଗି ବସୁଛନ୍ତି । 

ଗାଁ ଲୋକଙ୍କ ବହୁବାର ଦାବି ପରେ ଜଳସେଚନ ବିଭାଗ ପକ୍ଷରୁ ଆଡ଼ିବନ୍ଧ ନିର୍ମାଣ ହେଉଛି, ହେଲେ ତାହା ଏଯାଏଁ ସରିନି । ଅର୍ଦ୍ଧନିର୍ମିତ କାମ ପାଇଁ ମାଟି ଅତଡ଼ା ଖସିବା ସହ ପଥର ମଧ୍ୟ ଖସିବାରେ ଲାଗିଛି । ଅନ୍ୟପଟେ ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧୦ କୋଟି ବ୍ୟୟରେ ପଥର ପ୍ୟାକିଂ କରାଯାଉଥିଲେ ମଧ୍ୟ ଫଳ ଶୂନ । ଫଳରେ ନାଗାବଳୀ ଅବବାହିକାରେ ଥିବା କଲ୍ୟାଣସିଂହପୁର ବ୍ଳକର ୪୫ ଖଣ୍ଡ ଗାଁ, କୋଲନରାର ୪ଟି ଗାଁ ଓ ରାୟଗଡ଼ାର ୨୨ ଖଣ୍ଡ ଗାଁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବେଲକଣା, ତଳସଜ୍ଜା, ରେବତୀଗୁଡ଼ା, ରାୟଗଡ଼ାରେ ନଦୀ ଗତିପଥ ବଦଳାଇଛି । ଅନ୍ୟପଟେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ।

୨୦୧୭ ବନ୍ୟା ପରେ ସଙ୍କଟ ଘନେଇ ଆସୁଛି । ବିଭିନ୍ନ ସ୍ଥାନରେ ନଦୀଗର୍ଭ ପୋତି ହୋଇଯାଇଛି । ସାମାନ୍ୟ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ସରକାର ତୁରନ୍ତ ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।