କନକ ବ୍ୟୁରୋ: ରାଜସ୍ଥାନ ନାଗୌର ଜିଲ୍ଲାର ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ହସି ଖେଳି ପାଠ ପଢ଼ି ଖୁସିରେ ରହୁଥିବା ୯ ବର୍ଷର କୁନି ଝିଅ ସ୍କୁଲ ଖେଳ ପଡ଼ିଆରେ ଖେଳିବା ସମୟରେ ଟଳିପଡ଼ିଲା। ହସ୍ପିଟାଲରେ ପହଞ୍ଚିବାବେଳକୁ ଜୀବନ ଶେଷ । ମୃତ୍ୟୁର ସେହି ମୁହୂର୍ତ୍ତର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଏକ ଘରୋଇ ସ୍କୁଲ, ସକାଳୁ ପ୍ରାର୍ଥନା ସରିଲା। କ୍ଲାସ ବି ହେଲା । ଖେଳ ପରିୟଡରେ ଖେଳିବାକୁ ସ୍କେଟିଂ ଗ୍ରାଉଣ୍ଡକୁ ଅନ୍ୟ ପିଲାଙ୍କ ସହ ଆସିଥିଲା କୁନି ଝିଅ ଦିବ୍ୟା । କେଇ ସେକେଣ୍ଡ ଛିଡ଼ା ହୋଇଛି କି ନାହିଁ ମୁହଁ ମାଡ଼ି ତଳେ ପଡ଼ିଗଲା । ତୁରନ୍ତ ଶିକ୍ଷକମାନେ ଆସି ଝିଅକୁ ନିକଟ ରାଜକୀୟ ଚିକତ୍ସାଳୟକୁ ନେଇଥିଲେ ବି ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ହୃଦଘାତରେ ଦିବ୍ୟାଙ୍କ ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର। ମୃତଦେହକୁ ପୋଷ୍ଟମର୍ଟମ କରିବାକୁ କୁହାଯାଇଥିଲେ ବି ଏପରି ନକରିବାକୁ ପରିବାର ଲେକାଙ୍କ ଅନୁରୋଧ ପରେ ଦିବ୍ୟାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।
ଅଧିକ ପଢ଼ନ୍ତୁ : କମାଲ୍ କଲେ ବସ୍ କଣ୍ଡକ୍ଟରଙ୍କ ପୁଅ: ୫ କୋଟିର ଘର କରି ଚର୍ଚ୍ଚାରେ ଗେମରଫ୍ଲିଟ୍...
ଦିବ୍ୟାଙ୍କ ମୃତ୍ୟୁ ସହ ପରିବାର ଉପରେ ଯେପରି ଦୁଃଖର ପାହାଡ଼ ଭୁଶୁଡ଼ିପଡିଛି। କାରଣ ୪ ମାସ ଆଗରୁ ଦିବ୍ୟାଙ୍କ ବଡ଼ଭାଇ ଅଭିଷେକଙ୍କର ମଧ୍ୟ ଅଚାନକ ମୃତ୍ୟୁ ହୋଇଥିଲା । ଦୁଇ ପିଲାଙ୍କ ଅକାଳ ମୃତ୍ୟୁକୁ ନେଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ ।
ଏହାପୂର୍ବରୁ ବି ହାର୍ଟ ଆଟାକରେ ସ୍କୁଲ ପିଲାଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳିଛି । ଏସବୁ ଖବର ଜାଣିବା ପରେ ଲାଗୁଛି, ରୋଗ ଯେପରି କିଛି ବୟସ ମାନୁନି । ଆଗରୁ ଆମେ ଶୁଣିଥିଲେ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ରୋଗ ହୁଏ କିନ୍ତୁ ଏବେ ତ ପିଲା ଜନ୍ମ ହେଉ ହେଉଁ ମଧୁମେହ ହେଉଥିବା ଦେଖିବାକୁ ମିଳୁଛି। ସେପରି ଛୋଟ ପିଲାଙ୍କୁ ବି ହାର୍ଟ ଆଟାକ୍ ହେଉଛି । ମେଡିକାଲ ଏକ୍ସପର୍ଟ ଟିମଙ୍କ ଆକଳନ କହୁଛି ପୂରା ଦୁନିଆରେ ପ୍ରତି ହଜାରେ ପିଲାଙ୍କ ମଧ୍ୟରେ ୧୦ଜଣଙ୍କଠାରେ ହୃଦରୋଗ ଜନିତ ସମସ୍ୟା ଦେଖିବାକୁ ମିଳୁଛି ।
ତେବେ ଡାକ୍ତରଙ୍କ କହିବା ଅନୁସାରେ ପିଲାଙ୍କଠାରେ କିଛି ଲକ୍ଷଣ ଦେଖାଗଲେ ତାହା ହୃଦଜନିତ ସମସ୍ୟା ହୋଇପାରେ ବୋଲି ଜାଣିବାକୁ ପଡ଼ିବ ।
ପିଲାଙ୍କ ଠାରେ ହୃଦରୋଗର ଲକ୍ଷଣ :
ଖାଦ୍ୟ ଖାଇବାରେ ଅସୁବିଧା
ହୃତସ୍ପନ୍ଦନରେ ଦ୍ରୁତଗତି
ବାରମ୍ବାର ନିମୋନିଆ ସଂକ୍ରମଣ
ଖାଇବା ସମୟରେ ଝାଳ ବାହାରିବା
ଓଠ, ଜିଭ, ନଖ ନୀଳ ରଙ୍ଗ ଦେଖାଯିବା
ରକ୍ତଚାପ ବୃଦ୍ଧି
ନିଃଶ୍ବାସ ନେବାରେ ସମସ୍ୟା
ଛାତିରେ ଯନ୍ତ୍ରଣା
ହୃତସ୍ପନ୍ଦନ ବେଳେ ଆସାମାନ୍ୟ ଶବ୍ଦ
ଏଥିରୁ କୌଣସି ଲକ୍ଷଣ ପିଲାଠାରେ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ତେବେ ପିଲାଙ୍କୁ ଜଙ୍କ୍ ଫୁଡଠାରୁ ଦୂରେଇ ରଖିବାକୁ ଚେଷ୍ଟାକରି ଘରୋଇ ଖାଦ୍ୟ ଓ ଜୀବନଶୈଳୀ ସହ ଜଡ଼ିତ କରିବା ଉଚିତ ହେବ ।
Follow Us