କନକ ବ୍ୟୁରୋ: ଗର୍ବ, ଅହଙ୍କାର କରନାହିଁ । ଗ୍ରାଉଣ୍ଡକୁ ଯାଅ । ପୁରୀରେ ବିଧାୟକ ଓ ସାଂସଦଙ୍କୁ ଏଭଳି ଟିପ୍ସ ଦେଇଛନ୍ତି ବିଜେପିର ଜାତୀୟ ସଭାପତି ଜେ.ପି ନଡ୍ଡା । ୩ଦିନିଆ ପ୍ରଶିକ୍ଷଣ ଶିବିରରେ ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ବୟ ରଖି ୧୪ଟି ବିନ୍ଦୁ ଉପରେ ଗୁରୁତ୍ବ ଦେଇଛନ୍ତି ।
ରାଜ୍ୟରେ ବିଜେପି ସରକାରକୁ ୧୦ମାସ ପୂରିଛି । ନୂଆ ସରକାର ନିର୍ବାଚନ ସମୟରେ ଦେଇଥିବା ଅନେକ ପ୍ରତିଶ୍ରୁତି ପୂରଣ ବି କରିଛି । କିନ୍ତୁ ଏପର୍ଯ୍ୟନ୍ତ ଏକ ମନ ଏକ ସ୍ବରରେ ଆଗେଇ ପାରୁନାହାନ୍ତି ବିଜେପି ନେତା । ଯାହାକୁ ନେଇ ପୁରୀରେ ଆୟୋଜିତ ସାଂସଦ ଓ ବିଧାୟକଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିରର ଉଦଘାଟନ କରି କଡା ବାର୍ତ୍ତା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଛନ୍ତି, ବିଧାୟକ, ସାଂସଦ କି ମନ୍ତ୍ରୀ ବୋଲି ଗର୍ବ ଓ ଅହଙ୍କାର କରନ୍ତୁନି । ନିଜ ଭିତରେ ମେଳି କରନାହିଁ । ପରସ୍ପର ବିଷୟରେ ଚାପୁଲସି ନ କରି ବ୍ୟକ୍ତିତ୍ୱର ବିକାଶ କର ଏବଂ ଗ୍ରାଉଣ୍ଡକୁ ଯାଅ ।
ପ୍ରଶିକ୍ଷଣ ଶିବିରରେ ଉଭୟ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷାକୁ ଗୁରୁତ୍ୱ ଦେଇ ନଡ୍ଡା ୧୪ଟି ବିନ୍ଦୁ ଉପରେ କାର୍ଯ୍ୟ କରିବାକୁ କହିଛନ୍ତି ।
ସରକାର ଉପରେ ନଡ୍ଡାଙ୍କ ମନ୍ତ୍ର
-ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ
-ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ
-ଦଳର ଯୋଜନାଗୁଡ଼ିକ ସମାଜର ଶେଷବ୍ୟକ୍ତି ପାଖରେ ପହଞ୍ଚାଅ
-ଯୋଜନା ସମ୍ପର୍କରେ ଗ୍ରାଉଣ୍ଡକୁ ଯାଇ ତଦାରଖ କର
- ସରକାର ସହ ସଂଗଠନକୁ ନେଇକି ଚାଲ
ସଙ୍ଗଠନକୁ ନେଇ ନଡ୍ଡାଙ୍କ ମନ୍ତ୍ର
-ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର
-ସରକାର ସହ ସୁସମ୍ପର୍କ ରକ୍ଷା କରି ସଂଗଠନକୁ ମଜଭୁତ କର
-ଗାଁ ଓ ବୁଥକୁ ଯାଇ ସମୟ ଅତିବାହିତ କର
-ଗ୍ରାଉଣ୍ଡକୁ ଯାଅ, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅଧଘଣ୍ଟା ବସ
-ଦଳିତ ପରିବାର ପାଖକୁ ଯାଅ, ସେମାନଙ୍କ ସମସ୍ୟା ସମାଧାନ କର
ଶନିବାର ପ୍ରଶିକ୍ଷଣ ଶିବିରରେ ବିଜେପିର ସମସ୍ତ ବିଧାୟକ ସାଂସଦ ଉପସ୍ଥିତ ରହିଥିଲେ । ନଡ୍ଡାଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ରେନିଂ ସେସନ ନେଇଥିଲେ ।