କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାରେ ଏବେ ବି ରହିଛି ବଡ଼ ଚାଷୀଙ୍କ ଦବଦବା । ମାତ୍ର ୭ ଭାଗ ଚାଷୀଙ୍କ କବ୍ଜାରେ ଜିଲ୍ଲାର ୩ ଭାଗରୁ ଭାଗେ ଚାଷଜମି ରହିଛି । ଏପଟେ ୮୨ ଭାଗ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ରହିଛି ମାତ୍ର ୪୬ ଭାଗ ଚାଷ ଜମି । ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ରିପୋର୍ଟରୁ ଏମିତି ତଥ୍ୟ ସାମ୍ନାକୁ ଆସିଛି ।
ବାବାଜୀ ବେହେରା ; ଅନୁଗୁଳ ଜିଲ୍ଲା ଚନ୍ଦ୍ରବାହାଳ ଗାଁରେ ଘର । ବାବାଜୀଙ୍କ ନାଁରେ ଅଛି ମାତ୍ର ୧୦ ଗୁଣ୍ଠ ଚାଷଜମି । ଗାଁର ଅନ୍ୟ ଚାଷୀଙ୍କର ଆଉ ୨୦ ଗୁଣ୍ଠ ଜମି ଭାଗ ନେଇ ଚାଷ କରନ୍ତି । ସେଥିରୁ ଯେତିକି ରୋଜଗାର ହୁଏ ସେଥିରେ ପରିବାର ଚଳେ । କେବଳ ବାବାଜୀ ନୁହନ୍ତି, ଚନ୍ଦ୍ରବାହାଳ ଗାଁର ବହୁ ଲୋକଙ୍କ ଅବସ୍ଥା ଏମିତି । ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ସଦ୍ୟତମ ରିପୋର୍ଟରୁ ସାମ୍ନାକୁ ଆସିଛି ଏମିତି ତଥ୍ୟ । ଏ ରିପୋର୍ଟ କହୁଛି, ଜିଲ୍ଲାର ମାତ୍ର ୭% ବଡ଼ ଚାଷୀଙ୍କ ପାଖରେ ରହିଛି ଜିଲ୍ଲାର ପ୍ରାୟ ଏକ ତୃତୀୟାଂଶ ଚାଷ ଜମି । ୪ରୁ ୧୦ ହେକ୍ଟର ଲେଖାଏଁ ମୋଟ ୫୩ ହଜାର ୧୮୪ ହେକ୍ଟର ଚାଷଜମି ଏହି ଚାଷୀଙ୍କ କବଜାରେ ରହିଛି । ଯାହାକି ଅନୁଗୁଳରେ ଥିବା ମୋଟ ଚାଷଜମିର ୩୧% । ଏପରିକି ଜିଲ୍ଲାର ୯୫ ଜଣ ଜମିଦାରିଆ ଚାଷୀଙ୍କ ପାଖରେ ୧୦ ହେକ୍ଟର ବା ୨୫ ଏକରରୁ ଅଧିକ ପରିମାଣର ଚାଷଜମି ରହିଥିବା ନାବାର୍ଡ ତଥ୍ୟରୁ ଜଣାପଡ଼ିଛି ।
ଖାଲି ସେତିକି ନୁହେଁ, ନାବାର୍ଡର ରିପୋର୍ଟ କହୁଛି , ଜିଲ୍ଲାର ୮୨ ଭାଗ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଅଧାରୁ କମ୍ ଅର୍ଥାତ ମାତ୍ର ୪୬ ଭାଗ ଚାଷଜମି ରହିଛି । ତଥ୍ୟ କହୁଛି, ଅନୁଗୁଳରେ ଥିବା ୫୪% ବା ୯୭ ହଜାର ୪୫୫ ଜଣ ନାମମାତ୍ର ଚାଷୀଙ୍କ ନାମରେ ଅତିବେଶିରେ ୧ ହେକ୍ଟର (ଅଢ଼େଇ ଏକର) ବା ତା’ଠାରୁ କମ୍ ଜମି । ସେହିପରି ଜିଲ୍ଲାର ୫୦,୧୧୩ ଜଣ ବା ୨୮ ଭାଗ କ୍ଷୁଦ୍ର ଚାଷୀଙ୍କ ପାଖରେ ଅତିବେଶିରେ ୧ ହେକ୍ଟରରୁ ୨ ହେକ୍ଟରର ଜମି ରହିଛି । ଏ ତାରତମ୍ୟ କେବଳ ଅନୁଗୁଳ ଜିଲ୍ଲା ନୁହେଁ, ସାରା ରାଜ୍ୟରେ ରହିଛି । ସ୍ବାଧୀନତା ପରେ ୧୯୫୧ ମସିହାରୁ ରାଜ୍ୟରେ ଜମିଦାର ପ୍ରଥା ଉଚ୍ଛେଦ ହେଲାଣି । କିନ୍ତୁ ଅନୁଗୁଳ ଜିଲ୍ଲାରୁ ଏବେ ଆସିଥିବା ତଥ୍ୟ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।