କନକ ବ୍ୟୁରୋ :  ଆଜିଠୁ ଦେବୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ପୂଜା । ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମା । ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜିଠାରୁ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମାଙ୍କ’ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ନବରାତ୍ରି ଅବସରରେ ମାଙ୍କ ଗର୍ଭ ଗୃହ କୁ ଯାଇ ଶ୍ରଦ୍ଧାଳୁ ପାଦ ଏବଂ ମୁଖ ଦର୍ଶନ କରିବାର ସୁଯୋଗ ପାଇବେ । କେବଳ ମା’ ବିରଜା ନୁହେଁ ରାଜ୍ୟର ଅନ୍ୟ ଶକ୍ତିପୀଠ ଗୁଡ଼ିକରେ ମଧ୍ୟ ମା’ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଉଛି । ମା’ଙ୍କ ଆଗମନକୁ ନେଇ ଧରାଧାମରେ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି । 

Advertisment