କନକ ବ୍ୟୁରୋ: ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଭାରିଯାନ ଭରସା । ନିର୍ମାଣର ବର୍ଷେ ଭିତରେ ନଷ୍ଟ ହୋଇଯାଉଛି ରାସ୍ତା । ଭାରିଯାନ ଯାତାୟତ ଦ୍ୱାରା ରାସ୍ତା ନଷ୍ଟ ହେଉଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛି । ଏତେ କମ୍ ଦିନରେ ରାସ୍ତାର ଏଭଳି ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ନିର୍ମାଣର ମାନକୁ ନେଇ ସନ୍ଦେହ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ୍ସ୍ ସଂଯୋଗ କରୁଥିବା ଅଣ୍ଟାସର ଠାରୁ ପଣସପଦର ରାସ୍ତା । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୯୩ ଲକ୍ଷ ୪୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା । ୨୦୨୩ ଅକ୍ଟୋବର ୧୪ରେ ରାସ୍ତା ଉନ୍ନତିକରଣ କାର୍ୟ୍ୟ ସରିଥିଲା । ଆଉ ଠିକ୍ ବର୍ଷେ ଭିତରେ ରାସ୍ତାର ଅବସ୍ଥା କହିଲେ ନସରେ । ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏସଓପି ପାଳନ ନକରି ରାସ୍ତା କରାଯାଇଥିବା ଅଭିଯୋଗ ହୋଇଛି ।
- ବିଭାଗ ଏକ ଅଭିଯୋଗ ଅନେକ
- ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ୟ୍ୟକୁ ନେଇ ଉଠିଲା ପ୍ରଶ୍ନ
- ନିର୍ମାଣର ଅଳ୍ପ ଦିନରେ କାଦୁଅ ପାଲଟି ଯାଉଛି ପିଚୁ ରାସ୍ତା
ନିକଟରେ ନନ୍ଦାହାଣ୍ଡି ବ୍ଲକ ଡେଙ୍ଗାତୁଟାଗୁଡା ଓ ବେଲଙ୍ଗା ପ୍ରଧାନମନ୍ତ୍ରୀ ସଡ଼କରୁ ପିଚୁ ଉଠିଯିବା ଅଭିଯୋଗ ଆସିଥିଲା । ଏବେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ପରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ଅଣ୍ଟାସର ଓ ପଣସପଦର ରାସ୍ତା ନିର୍ମାଣର ବର୍ଷେ ପରେ ପିଚୁ ରାସ୍ତା କାଦୁଅ ହୋଇଯିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ଦାନା ବାନ୍ଧିଛି ।
ରାସ୍ତାରେ ପଡୁଥିବା ମୋରମ, ଡବ୍ଲ୍ୟୁଏସ୍ଏମ୍ ଏବଂ ପିଚୁସ୍ତର ଠିକ୍ ଅଛି ନା ନାହିଁ ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଭିଜିଲାନ୍ସକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ। ନଚେତ ଆଗାମୀ ଦିନରେ ଆନ୍ଦୋଳନର ଧମକ ଦେଇଛନ୍ତି। ସେପଟେ ରାସ୍ତାବସ୍ଥାକୁ ନେଇ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ ବିଭାଗୀୟ ଯନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/pF042dmiJj3MalYHzJrM.jpg)