କନକ ବ୍ୟୁରୋ : ଡାକ୍ତର ଅଭାବ ସମସ୍ୟାରେ ଘାଣ୍ଟି ହେଉଛି ନବରଙ୍ଗପୁର। ଚକାଚକ୍ କୋଠା ସାଙ୍ଗକୁ ଚିକିତ୍ସାଳୟରେ ରହିଛି ଅତ୍ୟାଧୁନିକ ଯନ୍ତ୍ରପାତି। ହେଲେ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକତା ଅନୁସାରେ ଡାକ୍ତର । ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେହି ଗୁରୁତର ରୋଗୀ ଆସିଲେ ତାଙ୍କୁ ୮୦ କିଲୋମିଟର ଦୂର କୋରାପୁଟ ମେଡ଼ିକାଲ କଲେଜକୁ ପଠାଯାଉଛି । ଅନେକ ସମୟରେ ସାଧାରଣ ଚିକିତ୍ସା ପାଇଁ ବି ରୋଗୀଙ୍କୁ କୋରାପୁଟ କି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ରେଫେରାଲ ସେଣ୍ଟର ପାଲଟିଥିବା ଅଭିଯୋଗ ହୋଇଛି ।
ନବରଙ୍ଗପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଟିଏ ଉପଖଣ୍ଡିୟ ଡାକ୍ତରଖାନା, ସହରାଞ୍ଚଳ ଡାକ୍ତରଖାନା ରହିଛି। ଯେଉଁଠି ୩୮୩ ଡାକ୍ତର ରହିବା କଥା, ମାତ୍ର ୨୦୦ ଡାକ୍ତରଙ୍କୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା । ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ଜଣ ସ୍ପେଶାଲିଷ୍ଟ ରହିବା କଥା ହେଲେ ଜିଲ୍ଲାର ୧୦ଟି ସ୍ବାସ୍ଥ୍ୟକେନ୍ଦ୍ରରେ ମାତ୍ର ୯ ଜଣ ସ୍ପେଶାଲିଷ୍ଟ ଡାକ୍ତର ଅଛନ୍ତି। ଫଳରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକ ସମୟରେ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲା ପରି ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ଜିଲ୍ଲାବାସୀ ।