କନକ ବ୍ୟୁରୋ : ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଆରମ୍ଭ ହୋଇଛି ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ୨୦୨୪ । ସହର ପରିକ୍ରମା କରିଛି ମଣ୍ଡେଇ ଶୋଭାଯାତ୍ରା । ଅତିଥିଙ୍କ ଦ୍ୱାରା ମାଆ ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମାଙ୍କ ଆଜ୍ଞାମାଳ ନେଇ ଲାଠି ଓ ଗାଦି ସହ ସହର ପରିକ୍ରମା କରି ମଣ୍ଡେଇ ପଡ଼ିଆ ପାଖରେ ପହଞ୍ଚିଥିଲା ସାଂସ୍କୃତିକ ଶୋଭାଯାତ୍ରା । ମଣ୍ଡେଇ ମଂଚ ନିକରେ ସ୍ଥାପନା ହୋଇଥିଲା ଆଦିବାସୀଙ୍କ ପ୍ରତୀକ ଭିମା ଭିମାଣୀଙ୍କ ମୂର୍ତ୍ତି । ଆଉ ଏହାପରେ ଆରମ୍ଭ ହୋଇ ମହୋତ୍ସବ।

Advertisment

କଳା ଓ ସଂସ୍କୃତିର ମଞ୍ଚ ମଣ୍ଡେଇ ମଞ୍ଚ। ଆଉ ତିନି ଦିନ ଧରି ରାଜ୍ୟର ସାଂସ୍କୃତିକ ଦଳ ସହ ବାହାର ରାଜ୍ୟ କଳାକାର କଳା ପ୍ରଦର୍ଶନ କରିବେ। ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ, ଲାଉଣୀ, ଦୁଲୁଦୁଲି, ଗୁଣ୍ଡି ନୃତ୍ୟ ସହ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ଗୀତରେ ମୁତୁଆଲା ହୋଇଥିଲେ ଦର୍ଶକ। 

ମଣ୍ଡେଇ ମହୋତ୍ସବର ଅନ୍ୟତମ ଆକର୍ଷଣ ପଲ୍ଲୀଶ୍ରୀ ମେଳା। ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଲାରେ ୩୬୦ଟି ଷ୍ଟଲ ହୋଇଛି। ବିଭିନ୍ନ ସ୍ୱୟଂ ସହାୟକ ଦଳ ପକ୍ଷରୁ ହସ୍ତକଳା ସାମଗ୍ରୀ ଓ କୁଟୀର ଶିଳ୍ପ ଗୁଡିକ ପ୍ରଦର୍ଶିତ ହୋଇଛି। ସେଭଳି ସରକାରୀ ସଂସ୍ଥା ଗୁଡିକ ପକ୍ଷରୁ ଯୋଜନା ଗୁଡ଼ିକର ପ୍ରଦର୍ଶନୀ କରାଯାଇ ଲୋକଙ୍କୁ ଅବଗତ କରାଯାଉଛି। ଫୁଡଷ୍ଟଲ ଓ ମିନାବଜାରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗୁଛି। 

 ସେପଟେ ଶାନ୍ତି ଶୃଙ୍ଖଳାର ସହ ମଣ୍ଡେଇ ମହୋତ୍ସବ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିଯାଇଛି।  ।