Naba das a Photograph: (KanakNews )
କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ନବ ଦାସଙ୍କ ସହ ଆସୁଥିବା ଦ୍ବିତୀୟ କାରରେ ୫ଟି ଗୁଳି ବାଜିଥିଲା । ଗାଡିର ବାମ ପାର୍ଶ୍ବରେ ଏହି ୫ଟି ଗୁଳି ବାଜିଥିଲା । କିନ୍ତୁ ଦ୍ବିତୀୟ ଗାଡିରେ ବାଜିଥିବା ଗୁଳି ଓ ଗୁଳିର ଖୋକା କୁଆଡେ ଗଲା ତାହା କ୍ରାଇମବ୍ରାଞ୍ଚ ରିପୋର୍ଟରେ ଉଲ୍ଲେଖ ନାହିଁ । କ୍ରାଇମବ୍ରାଞ୍ଚ ନବ ଦାସ ବସିଥିବା ଗାଡି ଓ ଅଭିଯୁକ୍ତ ଗୋପାଳ ଦାସର ବନ୍ଧୁକ ଗୁଳିର ହିସାବ ଦେଇ ନିଜର କାମ ସାରିଦେଇଛି । ଯାହା ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ଆହୁରି ରହସ୍ୟମୟ କରିଛି । କ୍ରାଇମବ୍ରାଞ୍ଚର ରିପୋର୍ଟ କହୁଛି, ଗୋପାଳ ଦାସ ପାଖରୁ ୧୮ଟି ଗୁଳିଥିବା ମାଗାଜିନ ଓ ୩ ଜୀବନ୍ତ ଗୁଳି ଜବତ ହୋଇଥିଲା । ଗୋଟିଏ ଲେଖାଏଁ ଅବ୍ୟବହୃତ ଅକାମୀ ଗୁଳି ସହ ଖୋକା ମଧ୍ୟ ଜବତ ହୋଇଥିଲା । ଗୋଟିଏ ଗୁଳି ଆକାଶକୁ ଫୁଟାଇଥିଲା ଗୋପାଳ । କିନ୍ତୁ ଦ୍ବିତୀୟ ଗାଡିରେ ବାଜିଥିବା ୫ଟି ଗୁଳି କୁଆଡେ ଗଲା କ୍ରାଇମବ୍ରାଞ୍ଚ ତାହାର ହିସାବ ଦେଇନପାରିବା ଷଡଯନ୍ତ୍ର ସନ୍ଦେହକୁ ଆହୁରି ବଳ ଦେଇଛି । ଏପରିକି ଗୋପାଳର ଗୁଳିରେ ନବଙ୍କ ଜୀବନ ଯାଇନଥିବା କହିଛନ୍ତି ଓକିଲ ।
କ୍ରାଇମବ୍ରାଞ୍ଚର ରିପୋର୍ଟ ଓ ଏସଏଫଏସଏଲ ରିପୋର୍ଟ ମଧ୍ୟରେ ତାଳମେଳ ନରହିବା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏସବୁ ଭିତରେ ଗୁଳି ବାଜିବା ପରେ ନବ ଦାସଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଠାଇଥିବା ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଆମ ପୋଷାକରେ ରକ୍ତ ଲାଗିଥିବାରୁ ଜବତ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ନବ ଦାସଙ୍କ ସାର୍ଟ କୁଆଡେ ଗଲା ବୋଲି କହି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛନ୍ତି । କ୍ରାଇମବ୍ରାଞ୍ଚ, ଏସଏଫଏସଏଲ ରିପୋର୍ଟ, ଗୋପାଳର ଓକିଲ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଭିତରେ ପ୍ରଶ୍ନ ଉଠୁଛି, କାହା ଗୁଳିରେ ଯାଇଛି ନବଙ୍କ ଜୀବନ? ଦ୍ବିତୀୟ ଗାଡ଼ିରେ ବାଜିଥିବା ଗୁଳି ବାବଦରେ ତଥ୍ୟ ନଦେଇ କାହାକୁ ସୁରକ୍ଷା ଦେଉଥିଲା କି କ୍ରାଇମବ୍ରାଞ୍ଚ? ଗୋପାଳ ଗୁଳି ମାରିବା ପୂର୍ବରୁ ଆଉ କିଏ ମାରିଥିଲା କି ଗୁଳି?
Follow Us