କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ । ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମର୍ମରେ ଭରସା ଦେଇଛନ୍ତି । ସ୍ୱର୍ଗତ ଦାସଙ୍କ ପତ୍ନୀ ମିନତି ଦାସ, ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ଲାଗି ସମୟ ମାଗିଥିଲେ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍‌ଣରେ ଭେଟିବା ପାଇଁ ସମୟ ଦେଇଥିବାରୁ ପୁଅ ବିଶାଳ ଓ ଝିଅ ଦୀପାଳିଙ୍କ ସହ ଶ୍ରୀମତୀ ଦାସ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମିନତି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ମାମଲାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ଦୀପାଳି ଗଣମାଧ୍ୟମକୁ କହିଛନ୍ତି ।

Advertisment
CM**
CM** Photograph: (Kanaknews)

ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଛି । ଗତକାଲି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍‌ ଝାରସୁଗୁଡ଼ା ସରବାହାଲସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରିଥିଲେ । ଦ୍ବିତୀୟ ଦିନରେ ଅର୍ଥାତ୍‌ ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍‌ ପୁଣିଥରେ ତାଙ୍କ ବାସଭବନକୁ ଯାଇ ସ୍ବର୍ଗତ ଦାସଙ୍କ ପତ୍ନୀ ମିନତି ଦାସଙ୍କ ବୟାନ ରେକର୍ଡ କରିଥିଲା । ଏହି ସମୟରେ ହତ୍ୟା ମାମଲାର ଅନେକ ଅନାଲୋଚିତ ଦିଗ ପ୍ରତି ତଦନ୍ତ କରିବା ପାଇଁ ପରିବାର ପକ୍ଷରୁ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ମିନତି ଦାସଙ୍କ ବୟାନ ଆଧାରରେ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ।