କନକ ବ୍ୟୁରୋ: କାଗଜ କଲମରେ ଚାଲୁଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ଫାଣ୍ଡି । ପୁଲିସ ବିଭାଗର ଫାଣ୍ଡି ଗାୟବ୍‌ ହୋଇଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଅନ୍ୟପଟେ ଫାଣ୍ଡିରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ଦରମା ଦିଆଯାଉଥିବା ଜଣାପଡ଼ିଛି । ଯାହାକୁ ନେଇ ସବୁ ମହଲରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । 
 
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ଫାଣ୍ଡି। ଆଜି ଯାଏଁ ଯାହାକୁ କେହି ଦେଖିନାହାନ୍ତି । କେଉଁଠି ଅଛି, ଚାଲୁଛି କି ନାହିଁ, କିଛି ଜଣାନାହିଁ । ୨୬ ଏପ୍ରିଲ୍‌ ୨୦୧୬ରେ ତାଳଚୁଆ ଫାଣ୍ଡିକୁ ଗୁପ୍ତିକୁ ସ୍ଥାନାନ୍ତର କରିବାକୁ ସରକାରୀ ମଞ୍ଜୁରୀ ମିଳିଥିଲା । ବର୍ତ୍ତମାନ ଏହି ଫାଣ୍ଡିରେ ୨ ଜଣ କନେଷ୍ଟବଳ, ଜଣେ ସୁଇପର୍‌ ଓ ୨ ଜଣ ହାବିଲଦାର କାର୍ଯ୍ୟ କରୁଥିବା ସରକାରୀ ତଥ୍ୟ କହୁଛି । ଏମାନେ ଦରମା ବି ପାଉଛନ୍ତି । ହେଲେ ଫାଣ୍ଡି ନାହିଁ କି ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦେଖାନାହିଁ ।
 
ଗୁପ୍ତି ଅଞ୍ଚଳକୁ ପ୍ରତିଦିନ ଶହଶହ ବୋଟ୍‌ ବାଂଲାଦେଶ ସମେତ ପଶ୍ଚିମବଙ୍ଗକୁ ଯା’ଆସ କରୁଥିବା ଅଭିଯୋଗ ଆସୁଛି । ଦେଶ ବିଦେଶର ପର୍ଯ୍ୟଟକ ଗୁପ୍ତି ଦେଇ ଭିତରକନିକା ଯାଉଥିବା ବେଳେ ସାତଭାୟା, ଗୁପ୍ତି ଓ ଈଶ୍ୱରପୁର ପଞ୍ଚାୟତର ୬୦ଟି ରାଜସ୍ୱ ଗାଁର ଆଇନଶୃଙ୍ଖଳା ଦାୟିତ୍ୱ ଗୁପ୍ତି ଫାଣ୍ଡି ଉପରେ ଅଛି । ହେଲେ ଫାଣ୍ଡିର କୌଣସି ପତ୍ତା ନଥିବା ବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ସରକାରୀ ରେକର୍ଡରେ ଫାଣ୍ଡି ଚାଲିବା, କର୍ମଚାରୀଙ୍କ ଦରମା ବାବଦକୁ ବାର୍ଷିକ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ଦେବା ସଂପର୍କରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ରାଜନଗର ଥାନା ଅଧିକାରୀ । 

Advertisment