କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କୁକୁଡ଼ା ଫାର୍ମ ମାଲିକଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ। ସନ୍ଦେହଘେରରେ ମୃତ ଅଜୟ ଗିରିଙ୍କ ବ୍ୟାବସାୟିକ ପାର୍ଟନର ଶୁଭ୍ରାଂସୁ ସ୍ବାଇଁ । ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଅଧିକ ତଦନ୍ତ କରୁଛି । ଫାର୍ମ ହାଉସର ୨ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
ଅଜୟ ଗିରିଙ୍କ ପରିବାରକୁ ଖବର ଦେବା ପରେ ସେମାନେ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅଜୟଙ୍କ ବିଜନେସ ପାର୍ଟନର ଶୁଭ୍ରାଂସୁ ସ୍ୱାଇଁ ଫେରାର ହୋଇଯାଇଛନ୍ତି । ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛନ୍ତି ମୃତକଙ୍କ ପରିବାର ଲୋକେ ।
ଚାନ୍ଦବାଲି ଥାନା ଅଧୀନ ମାଧପୁର ପଞ୍ଚାୟତ ବଙ୍ଗାଳୀପଡାରେ ଏହି ସନ୍ଦେହଜନକ ହତ୍ୟାକାଣ୍ଡ ଘଟିଛି । ବର୍ଷେ ହେଲା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ବଙ୍ଗାଳୀପଡାରେ ଏକ କୁକୁଡ଼ା ଫାର୍ମକୁ ପାର୍ଟନର ହୋଇ ଉଭୟ ଅଜୟ ଗିରି ଏବଂ ଶୁଭ୍ରାଂଶୁ ସ୍ଵାଇଁ ଚଳାଉଥିଲେ । ରାତିରେ ଶୁଭ୍ରାଂଶୁ ସ୍ୱାଇଁ ନିକଟରେ ଥିବା ମତୋ ବଜାରକୁ ଯାତ୍ରା ଦେଖିବାକୁ ଯାଇଥିଲେ। ଅଜୟ ଗିରି ଫାର୍ମରେ ଥିଲେ। ଭୋରରୁ ଶୁଭ୍ରାଂସୁ ସ୍ୱାଇଁ ଫାର୍ମକୁ ଫେରି ଦେଖିବାକୁ ପାଇଥିଲେ ଯେ, ତାଙ୍କ ପାର୍ଟନର ଅଜୟ ଗିରିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିରହିଛି । ମୃତ ଅଜୟ ଗିରିଙ୍କ ଘର ଭଦ୍ରକ ଜିଲ୍ଲାର ଚରମ୍ପାରେ ହୋଇଥିବା ବେଳେ ପାର୍ଟନର ଶୁଭ୍ରାଂସୁ ସ୍ବାଇଁଙ୍କ ଘର କେନ୍ଦ୍ରାପଡ଼ାରେ । ତେବେ ଅଜୟ ଗିରିଙ୍କ ପରିବାର ଲୋକେ ଚାନ୍ଦବାଲି ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକଙ୍କ ମୁଣ୍ଡ, ପାଟି, ନାକରୁ ରକ୍ତସ୍ରାବ ହୋଇଛି ।