ଅଫିସରମାନେ ବିଧାୟକ ଓ ସାଂସଦଙ୍କୁ ସମ୍ମାନ ଦିଅନ୍ତି ନାହିଁ । ବାବୁମାନେ ନେତାଙ୍କ କଥା ଶୁଣନ୍ତି ନାହିଁ । ପୂର୍ବରୁ ଅନେକ ଥର ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ବିଧାନସଭାରେ ବି ଉଠିଛି। କିନ୍ତୁ ପୂର୍ବ ସରକାରରେ ଏକଥାକୁ ବାବୁଙ୍କର ଖାତିର ନଥିଲା । ସରକାର ବଦଳିବା ପରେ ବି ବାବୁଙ୍କ ସେହି ଠାଣି ଯାଇନି। ଯାହାକୁ ନେଇ ଆଜି ବିଡିଓଙ୍କୁ ସିଧା ସିଧା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦିନିଆ ରାଜ୍ୟସ୍ତରୀୟ ବିଡିଓ ଓ ସିଡିଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ। ବିଜେଡି ପ୍ରୀତି ଛାଡି ନୂଆ ସରକାରଙ୍କ ଆଭିମୁଖ୍ୟରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ନ ହେଲେ ଆଗାମୀ ଦିନରେ କଠୋର ନିଷ୍ପତ୍ତି ନେଇପାରେ ବୋଲି ଚେତାବନୀ ଦେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରର ଅନୁଭୂତିକୁ ସାମ୍ନାରେ ରଖି କ୍ଷୋଭ ପ୍ରକାଶ କରି କହିଛନ୍ତି, ‘ଭିସି ସମୟରେ କିଛି ବିଡ଼ିଓ ତାଙ୍କ ଭାଷଣ ଆସିଲେ ଟିଭି ବନ୍ଦ କରିଦେଉଛନ୍ତି । ଲୋକଙ୍କୁ ସେ ସ୍ଥାନରୁ ପଳାଇବାକୁ କହୁଛନ୍ତି । କିଛି ବିଡିଓ ଭଲ ସମ୍ପର୍କ ରଖିନାହାନ୍ତି । ଏହି ସୂଚନା ମୋ ପାଖରେ ପହଞ୍ଚିଛି । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି । ମୋ ସରଳତାକୁ ଦୁର୍ବଳତା ଭାବ ନାହିଁ ।’
/kanak/media/media_files/2025/05/15/TibQolGbyshitidnU9ij.jpg)
ମନରେଗାରେ ହେଉଥିବା ଦୁର୍ନୀତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି , ‘ମନରେଗାରେ ମେସିନରେ କାମ ହେଉଛି ,ଲୋକଙ୍କୁ କାମ ମିଳୁନି । କିନ୍ତୁ ଶ୍ରମିକଙ୍କ ନାଁରେ ଟଙ୍କା ଉଠୁଛି ।’ ସମ୍ମିଳନୀ ମଞ୍ଚ ଉପରୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ମନରେଗା ଦୁର୍ନୀତି ରୋକିବାକୁ ଆଗାମୀ ଦିନରେ ଗାଇଡ଼ଲାଇନ ଆଣିବାକୁ ସିଧା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗାରେ ଲୋକଙ୍କୁ କାମ ଦେବାକୁ ବିଡିଓମାନେ ଚ୍ୟାଲେଞ୍ଜ ଭାବେ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବିଡିଓଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଅଫିସ ଛାଡ ଫିଲ୍ଡକୁ ଯାଅ । ବଜେଟର ଅଭାବ ନାହିଁ, ଲୋକଙ୍କ ସମସ୍ୟାର ସମାଧାନ କର । ୨୦୨୬ ସୁଦ୍ଧା ପ୍ରତି ଗାଁକୁ ମିଳିବ ପାଣି । ଠିକ ସମୟରେ ମେଗା ପାନୀୟ ଜଳ ପ୍ରକଳ୍ପ ନ ସରିଲେ ଉତ୍ତରଦାୟୀ ରହିବେ ବିଡ଼ିଓ । ଆବାସ ଘର ବଣ୍ଟନ ଦଳୀୟ ଭିତ୍ତିରେ ହେଉଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ତେଣୁ ବିଜେପି ସରକାରରେ ଯୋଗ୍ୟ ବ୍ୟକ୍ତିଙ୍କୁ ଆବାସ ଦେବାକୁ ସେ କହିଛନ୍ତି । ତେବେ ମଞ୍ଚ ଉପରୁ ବିଡିଓକୁ ମୁଖ୍ୟମନ୍ତ୍ରୀଙ୍କୁ ତାଗିଦ ଅଫିସରଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି ।