କନକ ବ୍ୟୁରୋ : ବାହାଘର ପାଇଁ ସଜ୍ଜା ହୋଇଥିଲା ମଣ୍ଡପ । ଚକଚକ ୱାଲ୍‌ ସାଙ୍ଗକୁ ଝଲମଲ ହେଉଥିଲା ସେଲଫିଜୋନ୍ । ଭୋଜି ଆରମ୍ଭ ହେବାକୁ କିଛି ସମୟ ବାକିଥିଲା । ହଠାତ୍ ବରକୁ ପିଟିବା ଆରମ୍ଭ କରିଦେଲେ ଜଣେ ଯୁବତୀ । ସୁଟ୍‌ ବୁଟ୍ ବ୍ଲେଜର ପିନ୍ଧି ମଣ୍ଡପ ଉପରକୁ ଯିବା ପୂର୍ବରୁ ଚାଲିଲା ହାତାହାତି ଆଉ ଧସ୍ତାଧସ୍ତି । ଏଥିରୁ କନିଆଁ ଜଣକ ବି ବର୍ତ୍ତି ନଥିଲେ । ବୁଝୁ ବୁଝୁ ଜଣା ପଡ଼ିଲା, ଏ ଯୁବତୀ ହେଉଛନ୍ତି ବରର ପ୍ରେମିକା । ପୁର୍ବରୁ ଭଲ ପାଉଥିଲେ, ବାହାଘର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା, ହେଲେ ବର ଲୁଚିଲୁଚି ବାହା ହେଉଥିବାରୁ ରିସେପସନ୍‌କୁ ଆସି ଏଭଳି ହଙ୍ଗାମା କରିଥିଲେ ଯୁବତୀ । ବଡ଼ ପାଟିରେ ଚିଲେଇ ଚିଲେଇ କହୁଥିଲେ, ବନ୍ଦ କର ମୋ ପ୍ରେମିକର ବାହାଘର । 

Advertisment

ସେପଟେ ଏଭଳି ହାଇଡ୍ରାମା ପରେ, ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ବ୍ଲେଜର ପିନ୍ଧା ବରକୁ ଥାନାକୁ ଉଠାଇ ଆଣିଥିଲା । ଉଭୟପକ୍ଷକୁ ଡାକି ପଚରା ଉଚରା ପରେ, ପୂରା ଚିତ୍ର ସାମନାକୁ ଆସିଥିଲା । ୨୦୨୧ରୁ ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ । ମାର୍ଚ୍ଚ ୨୦୨୪ରେ ନିର୍ବନ୍ଧ ସରିଥିଲା । ଆଉ ପ୍ରେମିକାଙ୍କ ପରିବାରକୁ ନଜଣାଇ ଚୁପ୍‌ଚାପ ବାହା ହୋଇ ପଡ଼ିଥିଲେ ଏହି ରଙ୍ଗିଲା ପ୍ରେମିକ । ପରେ ସାମ୍ନାକୁ ଆସିଥିଲା ଲଭ୍ ସେକ୍ସ ଧୋକାର ସାଂଘାତିକ କାହାଣୀ । ଥାନାରେ ଉଭୟ ପକ୍ଷକୁ ବୁଝାଶୁଝା ପରେ, ଘରକୁ ଫେରିଥିଲେ ପ୍ରେମିକା । କିନ୍ତୁ ନ୍ୟାୟ ନମିଳିଲେ ପ୍ରେମିକ ବରକୁ କାଠଗଡ଼ାକୁ ଭିଡ଼ିବେ ବୋଲି ଦେଇଛନ୍ତି ଚେତାବନୀ ।