କନକ ବ୍ୟୁରୋ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପରିବାର, ପୁଲିସକୁ ୧୭ଦିନ ଧରି ଭୁଆଁ ବୁଲାଇ ଏ ରାଜ୍ୟରୁ ସେ ରାଜ୍ୟକୁ ଲୁଚି ବୁଲୁଥିବା ଅଭିଯୁକ୍ତ ସୋନମ ରଘୁବଂଶୀ ଶେଷରେ ପୁଲିସ ହାତରେ ଧରାପଡିଛି । କାହିଁକି ମାରିଲା ସ୍ବାମୀ ରାଜାଙ୍କୁ ? କାହା ସହ ମିଶି ମାରିଲା ? କେମିତି ରଚିଥିଲା ହତ୍ୟା ଷଡ୍ଯନ୍ତ୍ର ? ଗିରଫ ପରେ ଏନେଇ ଟିକିନିଖି ସବୁ କଥା ପୁଲିସ ଆଗରେ କହିଛି ଅଭିଯୁକ୍ତ । ସେପଟେ ଝିଅ ପୁଲିସ ହାତରେ ଧରା ପଡ଼ିବା ପରେ ମୁହଁ ଖୋଲିଛନ୍ତି ସୋନମଙ୍କ ବାପା । କହିଲେ ମୋ ଝିଅର କିଛି ଭୁଲ ନାହିଁ, ସେ ନିର୍ଦ୍ଦୋଷ । ଏହି ଘଟଣାର ସିବିଆଇ ତଦନ୍ତ ହେଉ ।
ଇନ୍ଦୋରର ପ୍ଲାଏଉଡ୍ ବ୍ୟବସାୟୀଙ୍କ ଝିଅ ସହ ବିବାହ କରିଥିଲେ ରାଜା ରଘୁବଂଶୀ । ଗତ ମେ ୧୧ ତାରିଖରେ ସୋନମ୍ ଓ ରାଜାଙ୍କ ବାହାଘର ହୋଇଥିଲା । ମେ ୨୦ରେ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ । ମେ ୨୩ରେ ଉଭୟ ନିଖୋଜ ହୋଇଥିବା ଖବର ଆସିଥିଲା । ସୋନମ୍ ନିଖୋଜ ଥିବା ସହ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକ ଅପହରଣ ମାମଲା ରୁଜୁ କରିଥିଲେ । ଜୁନ୍ ୨ରେ ଏକ ଖାଇ ନିକଟରୁ ରାଜାଙ୍କ ଗଳିତ ମୃତଦେହ ମିଳିଥିଲା ।
ସ୍ଥାନୀୟ ହୋଟେଲ ଓ ଟୁରିଷ୍ଟ ଗାଇଡ୍ଙ୍କଠୁ ପାଇଥିବା ସୂଚନା ଆଧାରରେ ଛାନଭିନ କରିଥିଲା ମେଘାଳୟ ପୁଲିସ । ନିଖୋଜ ଅଭିଯୋଗର ୮ଦିନ ପରେ ଏକ ଖାଇରୁ ମିଳିଥିଲା ରାଜାଙ୍କ ମୃତଦେହ । ଘଟଣାସ୍ଥଳରୁ ମିଳିଥିବା କିଛି ଜିନିଷ ସୋନମଙ୍କ ଉପରେ ସନ୍ଦେହ ବଢ଼ାଇଥିଲା । ଏସ୍ଆଇଟି ଟିମ୍ ଗଠନ କରାଯାଇ ତଦନ୍ତକୁ ତ୍ବରାନ୍ୱିତ କରିଥିଲା ପୁଲିସ । ଘଟଣା ୧୭ଦିନ ପରେ ଗାଜିପୁରର ଏକ ଢାବାରୁ ଧରା ପଡିଛି ସୋନମ । ଗାଜିପୁର ଦେଇ ବାରାଣାସୀରେ ପହଞ୍ଚିବା ପରେ ନେପାଳ ଯିବାକୁ ଯୋଜନା କରିଥିଲେ ଅଭିଯୁକ୍ତ । ତେବେ ଢାବାରେ ପହଞ୍ଚି ଘରକୁ ଫୋନ୍ କରିବା ଘଟଣା ମାମଲାରେ ନୂଆ ମୋଡ଼ ନେଇଥିଲା ।
#WATCH | Indore missing couple case | Sonam Raghuvanshi's father, Devi Singh, says, "...Meghalaya CM is lying regarding this case. A CBI inquiry should be done on him as well. I am sure that the CM is also lying. Union Home Minister Amit Shah should send the CBI there as soon as… pic.twitter.com/PPgn9QwefV
— ANI (@ANI) June 9, 2025
ସୋନମ ଗିରଫ ହେବାପରେ ଏହାକୁ ନେଇ ତାଙ୍କ ବାପା ଦେବୀ ସିଂ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ମୋ ଝିଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ମୋର ମୋ ଝିଅ ଉପରେ ଭରସା ଅଛି । ସେ ଏମିତି କାମ କେବେ ବି କରିପାରିବନି । ଦୁଇ ପରିବାର ସହମତିରେ ଦୁହିଁଙ୍କ ବିବାହ ହୋଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବି ମିଛ କହୁଛନ୍ତି । ଏହାର ସିବିଆଇ ତଦନ୍ତ ହେବା ଦରକାର । ମେଘାଳୟ ପୁଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ।”