କନକ ବ୍ୟୁରୋ: ଟ୍ରମ୍ପଙ୍କ ହୋଟେଲ ଆଗରେ ଜଳିଗଲା ମସ୍କଙ୍କ ସାଇବର ଟ୍ରକ । ବିସ୍ଫୋରଣରେ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୭ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସକାଳୁ ସକାଳୁ ଆମେରିକାର ଲାସ ଭେଗାସରେ ଥିବା ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ଆଗରେ ଏହି ବିସ୍ଫୋରଣ ଘଟିଛି । ହୋଟେଲର ମୁଖ୍ୟ ପ୍ରବେଶ ପଥରେ ଟେସଲାର ସାଇବର୍ ଟ୍ରକ୍ ଟି ଠିଆ ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଟ୍ରକ ଭିତରୁ ଅନେକ ବିସ୍ଫୋରକ ସାମଗ୍ରୀ ମଧ୍ୟ ମିଳିଛି। ଏହା ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା କହିଛନ୍ତି ଟେସଲା କମ୍ପାନି ମାଲିକ ଏଲନ ମସ୍କ । ବୋମା ଲଗାଇ ଟ୍ରକ୍ ବିସ୍ଫୋରଣ କରାଯାଇଥିବା ସେ କହିଛନ୍ତି। ଏଫବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆମେରିକାର ସବୁଠୁ ସୁରକ୍ଷିତ ସ୍ଥାନ ନ୍ୟୁୟର୍କରେ ଘଟିଛି ଗୁଳିକାଣ୍ଡ । କୁଇନ୍ସ ସହରର ଆମାଚୁରୀ ନାଇଟ୍ କ୍ଲବରେ ଲୋକଙ୍କ ଉପରକୁ ଗୁଳିମାଡ଼ କରିଛି ଆତତାୟୀ । ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା । ଏହି ଗୁଳିକାଣ୍ଡରେ ୧୧ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହା ସହରର ସବୁଠୁ ଫେମସ୍ ନାଇଟ୍ ସ୍ପଟ୍ ହୋଇଥିବା ବେଳେ ଏହାକୁ ଟାର୍ଗେଟ କରାଯାଇଛି । ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରି ତଦନ୍ତ କରୁଛି ପୋଲିସ । ତେବେ ନୂଆ ବର୍ଷରେ ନ୍ୟୁ ଓର୍ଲିନ୍ସରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଏହି ଦୁଇଟି ଘଟଣା ଆମେରିକାବାସୀଙ୍କ ନିଦ ହଜାଇ ଦେଇଛି । କେତେବେଳେ କେଉଁଠି ପୁଣି ଆକ୍ରମଣ ହେବ ସେନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।
ନୂଆବର୍ଷ ପାଳନ ବେଳେ ଆମେରିକାର ନ୍ୟୁ ଓର୍ଲିନ୍ସରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଭିଡ଼ ଉପରେ ମାଡ଼ି ଯାଇଥିଲା । ପରେ ଟ୍ରକ ଚାଳକ ଭିଡ଼ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ୩୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପୋଲିସର ପାଲଟା ଗୁଳିରେ ଟ୍ରକ ଚାଳକର ମୃତ୍ୟୁ ହୋଇଥିବା ବେଳେ ଟ୍ରକରୁ ଆଇଏସଆଇଏସର ପତାକା ଜବତ କରାଯାଇଛି । ତଦନ୍ତକାରି ସଂସ୍ଥା ଏଫବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଘଟଣା ପରେ ଅନ୍ୟ ଦୁଇଟି ସ୍ଥାନରେ ଆକ୍ରମଣ ପୋଲିସ ପାଇଁ ଚିନ୍ତା ବଢ଼ାଇଛି ।