କନକ ବ୍ୟୁରୋ: ବ୍ରିଟେନରେ ପ୍ରବାସୀଙ୍କ ବିରୋଧରେ ଆନ୍ଦୋଳନ କ୍ରମାଗତ ଭାବେ ତୀବ୍ର ହେବାରେ ଲାଗିଛି । ଗତ ଶନିବାର ଲଣ୍ଡନର ରାସ୍ତାରେ ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ଟମି ରବିନ୍ସନ୍ସଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ । ରାଲି ମଧ୍ୟରେ କୋଟିପତି ବ୍ୟବସାୟୀ ଏଲନ୍ ମସ୍କ ଏକ ବିବାଦୀୟ ବୟାନ ଦେଇ ବିକ୍ଷୋଭ ପ୍ରଦର୍ଶନକୁ ଅଧିକ ଉତ୍ତେଜିତ କରିବାକୁ ଚେଷ୍ଟା କରିଛନ୍ତି ।
ମସ୍କ କହିଛନ୍ତି ଯେ ବ୍ରିଟେନରେ ବର୍ତ୍ତମାନ କ୍ଷମତା ପରିବର୍ତ୍ତନ ଜରୁରୀ । ସେ ପ୍ରଦର୍ଶନକାରୀମାନଙ୍କୁ କହିଛନ୍ତି, "ଆପଣଙ୍କ ପାଖରେ କେବଳ ଦୁଇଟି ରାସ୍ତା ଅଛି - ଲଢ଼ନ୍ତୁ କିମ୍ବା ମରନ୍ତୁ ।" ମସ୍କ ଦାବି କରିଛନ୍ତି ଯେ ଅଧିକ ପ୍ରବାସୀ ବ୍ରିଟେନକୁ ସଙ୍କଟରେ ପକାଇଛନ୍ତି ଏବଂ ଆଗାମୀ ସମୟରେ ଏହା ଦେଶର ବିନାଶର କାରଣ ହୋଇପାରେ । ଏଲନ୍ ମସ୍କ ଆହୁରି କହିଛନ୍ତି, "ହିଂସାର ନିଆଁ ଆପଣଙ୍କ ପାଖରେ ନିଶ୍ଚୟ ପହଞ୍ଚିବ । ଏହାକୁ ରୋକିବାର କୌଣସି ଉପାୟ ନାହିଁ । ତେଣୁ ଲଢ଼ିବା ପାଇଁ ପ୍ରସ୍ତୁତ ରହିବା ହିଁ ଏକମାତ୍ର ରାସ୍ତା । ମୋତେ ଲାଗୁଛି ଯେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ସରକାରକୁ ତୁରନ୍ତ ହଟାଇବା ଉଚିତ୍ । ସଂସଦ ଭଙ୍ଗ ହେବା ଦରକାର ଏବଂ ନିର୍ବାଚନ କରାଯିବା ଉଚିତ୍ ।" ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଆମେରିକାରେ ବସି ଏଲନ୍ ମସ୍କ ଲଣ୍ଡନର ବିକ୍ଷୋଭ ପ୍ରଦର୍ଶନକୁ ଏତେ ଗୁରୁତ୍ୱ କାହିଁକି ଦେଉଛନ୍ତି । କାହିଁକି ଏଭଳି ସ୍ଥିତିକୁ ଆହୁରି ଉତ୍ତେଜିତ କରିବାକୁ ଚାହୁଛନ୍ତି ।
— Elon Musk (@elonmusk) September 13, 2025
ଜୋରଦାର ଆନ୍ଦୋଳନ
ଲଣ୍ଡନରେ ରାଲି ସମୟରେ ବିକ୍ଷୋଭକାରୀମାନେ 'ଆମକୁ ଆମ ଦେଶ ଫେରାଇ ଦିଅ' ଭଳି ନାରା ଲଗାଇଥିଲେ । ଅନେକ ସ୍ଥାନରେ ପୁଲିସ ଏବଂ ଭିଡ଼ ମଧ୍ୟରେ ସଂଘର୍ଷର ଖବର ମଧ୍ୟ ଆସିଛି । ରବିନ୍ସନ୍ସ ଇଂରାଜୀ ଡିଫେନ୍ସ ଲିଗ୍ (EDL) ସହିତ ଜଡ଼ିତ ଥିଲେ, ବ୍ରିଟେନରେ ପ୍ରବାସୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାରେ ସେ ପ୍ରମୁଖ । ତାଙ୍କରି ନେତୃତ୍ୱରେ ଆରମ୍ଭ ହୋଇଛି ଏହି ବିରାଟ ବିକ୍ଷୋଭ ପ୍ରଦର୍ଶନ । ନିକଟରେ ନେପାଳରେ ହୋଇଥିବା ଆନ୍ଦୋଳନ ଯୋଗୁଁ ସରକାର ଭୁଶୁଡ଼ି ପଡ଼ିଛି । ବର୍ତ୍ତମାନ ବ୍ରିଟେନର ବକ୍ଷୋଭ ପ୍ରଦର୍ଶନ ନେପାଳ ଭଳି ପରିସ୍ଥିତି ସହିତ ତୁଳନା କରାଯାଉଛି ।
ନିକଟରେ ନେପାଳ ଏବଂ ଫ୍ରାନ୍ସ, ଉଭୟ ଦେଶରେ ବ୍ୟାପକ ରାଜନୈତିକ ଏବଂ ସାମାଜିକ ଅଶାନ୍ତି ଦେଖିବାକୁ ମିଳିଛି । ନେପାଳରେ ଜେନ୍-ଜି'ମାନେ ଦୁର୍ନୀତି ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଦର୍ଶନ କରିଥିଲେ । ସେହିପରି, ଫ୍ରାନ୍ସରେ ସରକାରଙ୍କ ନିୟମ ଏବଂ ଆର୍ଥିକ ନୀତି ବିରୋଧରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ । ପ୍ରଥମରୁ ଏହି ବିରୋଧ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ ଧୀରେଧୀରେ ପରିସ୍ଥିତି ବିଗିଡ଼ି ଯାଇଥିଲା ଏବଂ ହିଂସା ବ୍ୟାପିଥିଲା । ବିଭିନ୍ନ ସ୍ଥାନରେ ପୁଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିଲା ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ ।