କନକ ବ୍ୟୁରୋ : ବିଜ୍ଞାନ ଯେତେ ଅଗ୍ରଗତି କରୁ ଏବେ ବି ଅନେକ ସ୍ଥାନରେ ବଞ୍ଚିରହିଛି ଅନ୍ଧବିଶ୍ୱାସ । ରାୟଗଡ଼ା ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ଜିଲ୍ଲାରେ ୫ ବର୍ଷ ଭିତରେ ୩୨ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ଆସିଛି । ଯାହା ଚିନ୍ତାର କାରଣ ପାଲଟିଛି ।

Advertisment

ସଚେତନତା ଅଭାବରୁ ଆଦିବାସୀ ବହୁଳ ଜିଲ୍ଲାରେ ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର ହେଉନାହିଁ । ଗୁଣି ସନ୍ଦେହରେ ରାୟଗଡ଼ା ସଦର ମହକୁମା ବାଇସିଂ ପଞ୍ଚାୟତ ଦୁର୍ଗମ ଚଞ୍ଚଡ଼ ଗାଁରେ ଜଣେ ବୃଦ୍ଧଙ୍କୁ ନିଆଁରେ ପୋଡ଼ି ମାରିଦେବା ଅଭିଯୋଗ ଆସିଥିଲା । ସେହି ଘଟଣାରେ ୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୁଲିସ । ସେହିପରି କାରୁବାଇ ଓ ଡାଙ୍ଗଲୋଡ଼ି ପଞ୍ଚାୟତରେ ୨ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା । ଜିଲ୍ଲା ଅନୁସୂଚିତ ଜନଜାତି ସମ୍ପ୍ରଦାୟ ମଧ୍ୟରେ ରୋଗରୁ ରକ୍ଷା ପାଇଁ ଚେଙ୍କ ଚିକିତ୍ସା ଓ ଗୁଣି ନେଇ ସନ୍ଦେହ ହେଲେ ଦଣ୍ଡ ଦିଆଯାଉଛି । ଲୋକମାନେ ଆଇନ୍‌କୁ ହାତକୁ ନେବାକୁ ପଛାଉ ନାହାନ୍ତି ।

ଅପରପକ୍ଷରେ ଦୁର୍ଗମ ଅଞ୍ଚଳରେ ଏପରି ଆପରାଧିକ ଘଟଣା ଗୋଷ୍ଠୀ ଭିତ୍ତିକ ଘଟୁଥିବାରୁ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବା ପୁଲିସ ପକ୍ଷରେ ସହଜସାଧ୍ୟ ହୋଇପାରୁନାହିଁ । ତଥାପି ଏହି ସମସ୍ୟା ଆଗକୁ ଆହୁରି ଜଟିଳ ହେବା ଆଗରୁ ଏହାକୁ ରୋକିବାରେ ଉଚିତ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ।