କନକବ୍ୟୁରୋ : ପୁରୀ ଜିଲା କଣାସ ବ୍ଲକ ହେଉଛି ଏକ ବନ୍ୟା ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ବର୍ଷ ବନ୍ୟାର ସମୁଖୀନ ହୋଇଥାନ୍ତି କଣାସ ବାସୀ ।  ୨୦୨୨ ବନ୍ୟା ପରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ବନ୍ୟା ବିପନ୍ନଙ୍କ ଖାଇବା ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ।  ହେଲେ ଲୋକଙ୍କୁ ଅଳ୍ପ ଖାଦ୍ୟ ଦେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଆସିଛି  ।

Advertisment

୨୦୨୨ ବନ୍ୟାରେ ପ୍ରଭାବିତ ହୋଇଥିଲେ କଣାସ ବ୍ଲକର ଅନେକ ପଞ୍ଚାୟତ । ଗାଁରେ ପାଣି ପଶିଥିଲା, ରନ୍ଧାବଢ଼ା ବନ୍ଦ ହୋଇଗଲା ।  ବନ୍ୟା ବିପନ୍ନଙ୍କୁ ଦୁଇ ଓଳି ରନ୍ଧା ଖାଦ୍ୟ ଯୋଗାଇଦେବାକୁ ପ୍ରତି ପଞ୍ଚାୟତକୁ ବିପର୍ଯ୍ୟୟ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର ।  ସ୍ଥାନୀୟ ସରପଞ୍ଚକୁ ଏହି ଦିଆଯାଇଥିଲା ।   ଆର୍‌ଟିଆଇ ତଥ୍ୟରେ ମଧ୍ୟ ଦୁଇ ବେଳା ଖାଦ୍ୟ ଦିଆଯାଇଥିବା ଦର୍ଶାଯାଇଛି ।   ହେଲେ ବଡ଼ାସ ପଞ୍ଚାୟତରେ ଗୋଟିଏ ଓଳି ଖାଦ୍ୟ ଦେଇ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ  ୨୨ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି  । 

ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।  ଅଭିଯୋଗର ୬୦ ଦିନ ପରେ ବି ତଦନ୍ତ ହେଉନଥିବାରୁ ଅସନ୍ତୋଷର ନିଆଁ ଜଳୁଛି ।  ଅନ୍ୟପଟେ ତାଙ୍କ ପାଖକୁ କୌଣସି ବି ଅଭିଯୋଗ ଆସିନଥିବା କହିଛନ୍ତି ପୁରୀ ଉପଜିଲ୍ଲାପାଳ ।

ପୃଥକ ଭାବେ ବିଲ୍‌ କରି ଏବଂ କିଛି ମୃତ୍ୟୁ ବ୍ୟକ୍ତିଙ୍କ ମିଛ ଦସ୍ତଖତରେ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆସିଛି ।  ଅନ୍ୟପଟେ ଏନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ବଡ଼ାସ ସରପଞ୍ଚ ।