କନକ ବ୍ୟୁରୋ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । କଥା କଥାକେ ଫୁଟୁଛି ଗୁଳି, ଗଡୁଛି ମୁଣ୍ଡ । କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟୁଛି ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଆଜି ଢେଙ୍କାନାଳରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ କବିସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରଥମେ ୨ ରାଉଣ୍ଡ ଗୁଳି ମାରିଲେ। ମନ ନବୁଝିବାରୁ ପଥରରେ ଛେଚି ହତ୍ୟା କଲେ । ଢେଙ୍କାନାଳ ଟାଉନ୍ ଥାନା କାରିଗର ସାହିର ମହେଶ୍ବର ବେହେରା ଓରଫ ଟିଟନ୍ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତ ରାତିରେ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ଅଚାନକ୍ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଡରେ ଗୁଳି ବାଜି ଜୀବନ ବିକଳରେ ଟିଟନ୍ ଦୌଡ଼ିବା ବେଳେ ଘୋଷାଡ଼ି ନେଇ ପଥରରେ ଛେଚି ହତ୍ୟା କରିଥିଲେ । ଏହି ଘଟଣାରେ ୭ ଜଣଙ୍କୁ ପୁଲିସ ଗିରଫ କରିଛି ।
ଗଞ୍ଜାମ କବିସୂର୍ଯ୍ୟନଗର ଥାନା ସାନ ଉସ୍ତାପଡ଼ାରେ ପୂର୍ବ ଶତ୍ରୁତାରୁ ଘଟିଛି ଜଘନ୍ୟ କାଣ୍ଡ । ବଣ୍ଟି ପ୍ରଧାନ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । ଯେଉଁଥିରେ ବଣ୍ଟିଙ୍କ ହାତର ପାପୁଲି ଛିଣ୍ଡିଯାଇଛି। ବଣ୍ଟି ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସାଧୀନ ଥିବାବେଳେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ସେପଟେ ଭବାନୀପାଟଣା ସହରରେ ବୋମାମାଡ଼ କରି ଡକାୟତି ହୋଇଛି । ଗୋଟେ ପଟେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଅନ୍ୟପଟେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେଡି ଏନେଇ ପୁଲିସ ଡିଜିଙ୍କୁ ଭେଟି ଅଭିଯୋଗ କରିଛି । ଆଇନ ମନ୍ତ୍ରୀ କହିଛନ୍ତି, କାହାରିକୁ ଛଡ଼ାଯିବ ନାହିଁ । ରାଜ୍ୟରେ ଏବେ ନିୟମିତ ବ୍ୟବଧାନରେ କେଉଁଠି ନା କେଉଁଠି ଘଟୁଛି ହତ୍ୟାକାଣ୍ଡ । ଯେମିତି ଲାଗୁଛି, ପୁଲିସ ପ୍ରତି ଅପରାଧୀଙ୍କର ପରୱା ନାହିଁ ।
ଢେଙ୍କାନାଳରେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ: କଥା କଥାକେ ଫୁଟୁଛି ଗୁଳି, ଗଡୁଛି ମୁଣ୍ଡ
କବିସୂର୍ଯ୍ୟନଗରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଭବାନୀପାଟଣାରେ ବୋମାମାଡ଼ କରି ଡକାୟତି ।
/kanak/media/media_files/2025/04/21/YxzLxlIdR8G1OU7TuH1R.jpg)