କନକ ବ୍ୟୁରୋ:ଦୁଇ ବିଜେଡି ବିଧାୟକଙ୍କ ସହ ହତ୍ୟା ଅଭିଯୁକ୍ତ । କେନ୍ଦୁଝର ଜିଲ୍ଲା ଘଷିପୁରାର ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁରର ବିଧାୟକ ଅଭିମନ୍ୟୁ ସେଠୀ ଏବଂ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା ଗୋଟିଏ ମଞ୍ଚରେ ଉପସ୍ଥିତ ଅଛନ୍ତି । ସେମାନଙ୍କ ସହ ଉପସ୍ଥିତ ଅଛନ୍ତି ଜଣେ ହତ୍ୟା ଅଭିଯୁକ୍ତ ସନ୍ତୋଷ ସାହୁ । କେନ୍ଦୁଝରର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସନ୍ତୋଷ । ସେ କିଛିଦିନ ହେଲା ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଛନ୍ତି । କିନ୍ତୁ ଜିଲ୍ଲାର ଦୁଇଜଣ ବିଜେଡି ବିଧାୟକ ଓ ଏସଡିପିଓଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ଅଛନ୍ତି ।

Advertisment

ଏଠି ପ୍ରଶ୍ନ ଉଠୁଛି, ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ କିଭଳି ଗୋଟିଏ ମଞ୍ଚରେ ରହିଲେ ବିଜେଡିର ଦୁଇ ବିଧାୟକ? ବଦ୍ରି ପାତ୍ର ଜଣେ ବରିଷ୍ଠ ନେତା,ଛଅ ଛଅ ଥରର ବିଧାୟକ । ସେ କିଭଳି ହତ୍ୟା ଅଭିଯୁକ୍ତକୁ ଜାଣିପାରିଲେନି, କିଭଳି ହତ୍ୟା ଅଭିଯୁକ୍ତ ସହ ମଞ୍ଚ ସେୟାର କଲେ, ତାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦୁଝର ଜିଲ୍ଲାର ଦୁଇ ବିଜେଡି ବିଧାୟକଙ୍କ ସହ ହତ୍ୟା ଅଭିଯୁକ୍ତର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏନେଇ ଏସ୍‌ଡିପିଓ ପ୍ରଶାନ୍ତ ବେହେରାଙ୍କୁ ପଚାରିବାରୁ, ସେ ସନ୍ତୋଷଙ୍କୁ ଜାଣି ନଥିବା କହିଛନ୍ତି । ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ମଧ୍ୟ ସମାନ କଥା କହିଛନ୍ତି ।