କନକ ବ୍ୟୁରୋ : ପିଲାମାନେ ସାଧାରଣତଃ  କିଛି ଜିନିଷ ପାଇଁ ଜିଦିଆ ହୋଇ ଯାଇଥାଆନ୍ତି । ନିଜ ପସନ୍ଦର ଜିନିଷ ପାଇବା ପାଇଁ ବାପା ମାଙ୍କ ପାଖେ ଅଳି ଅଝଟ କରିଥାଆନ୍ତି । କିଛି କିଛି ଜିଦ୍‌ ପୂରଣ କରିଥାଆନ୍ତି ଆଉ କିଛି ପୂରଣ କରିପାରିନଥାନ୍ତି ବାପା-ମା । କାରଣ ସେହି ଜିନିଷ କ୍ରୟ କରିବାକୁ ତାଙ୍କ ପାଖେ ସେତିକି ସାମର୍ଥ୍ୟ ନଥାଏ । ସେହି କ୍ଷେତ୍ରରେ ଜିଦ୍‌ ଧରିଥିବା ପିଲାଙ୍କୁ ବହୁତ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥାଆନ୍ତି ପ୍ୟାରେଣ୍ଟ୍‌ସ । କିନ୍ତୁ ଏମିତି କିଛି ସନ୍ତାନ ଅଛନ୍ତି ସେହି ଜିନିଷ ପାଇବା ପାଇଁ ପୂରା ଜିଦ୍‌ଖୋର ହୋଇଯାଇଥାଆନ୍ତି । ଏଇ ଜିନିଷ ଦରକାର ମାନେ ଦରକାର । ଏପରି ପିଲା ବାପା ମାଙ୍କ ପରିସ୍ଥିତିକୁ ବୁଝିବା ଅବସ୍ଥାରେ ନଥାନ୍ତି । ଶେଷରେ ରାଗିକି ନିଜେ ନିଜକୁ ଆଘାତ ଦେବାକୁ ମଧ୍ୟ ପଛାଇନଥାନ୍ତି । ତେବେ ଏପରି ଏକ ଘଟଣା ଘଟିଛି ବିହାରର ମୁଙ୍ଗେରର ଜମାଲପୁରରେ ।

Advertisment

ଶମ୍ବୁ ବିନ୍ଦ୍‌ଙ୍କ ଝିଅ ଖୁସ୍‌ବୁ କୁମାରୀ ଗତ ତିନି ମାସ ହେବ ବାପା ମାଙ୍କୁ ଦେଢଲକ୍ଷ ଟଙ୍କାର ଆଇଫୋନ୍‌ କିଣିଦେବାକୁ ଜିଦ୍‌ କରିଆସୁଥିଲା । ଅନେକ ଥର ବାପା-ମା ନିଜର ଆର୍ଥିକ ପରିସ୍ଥିତି ବିଷୟରେ କହି ଝିଅକୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ପରେ ମଧ୍ୟ ଝିଅ ବାପା ମାଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିନଥିଲା । ଏହାରି ମଧ୍ୟରେ ପୁଣି ନିଜ ମା’ଙ୍କୁ ଫୋନ୍‌ କିଣିଦେବାକୁ ଜିଦ୍‌ ଧରିଥିଲା ଝିଅ । ମା’ ଯେତେବେଳେ ମନା କରିଦେଲେ ଖୁସ୍‌ବୁ ନିଜକୁ ରୁମ୍‌ ରେ ବନ୍ଦ କରି ନେଇ ବ୍ଲେଡ୍‌ ସାହାଯ୍ୟରେ ନିଜ ହାତକୁ କାଟିବା ଆରମ୍ଭ କରିଦେଲା । କେବଳ ଥରେ କିମ୍ବା ଦୁଇଥର ନୁହେଁ ବରଂ ବ୍ଲେଡ ସାହାଯ୍ୟରେ ଶହେରୁ ଅଧିକ ଥର ହାତ କାଟିଥିଲା ଖୁସ୍‌ବୁ । ମା ଯେତେବେଳେ ଝିଅର କଟା ହୋଇଥିବା ହାତକୁ ଦେଖିଲେ ତୁରନ୍ତ ତାକୁ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ଏବେ ବି ଯୁବତୀଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି ।