କନକ ବ୍ୟୁରୋ : ବିମାନବନ୍ଦରରେ ବର୍ଷିଲେ, ନବୀନ ନିବାସରେ ପହଞ୍ଚି ସୁପ୍ରିମୋଙ୍କୁ କାରଣ ପଚାରିଲେ । ୱାକଫ୍ ବିଲକୁ ନେଇ କାହିଁକି ବଦଳିଲା ନିଷ୍ପତ୍ତି । ନବୀନଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଉତ୍ତର ପାଇଲେ ସାଂସଦ ମୁନା ଖାଁ । କିନ୍ତୁ ବିଜେଡି କର୍ମୀଙ୍କୁ ଏ ଉତ୍ତର ସନ୍ତୁଷ୍ଟ କରିପାରିନି । ସେଥିପାଇଁ ବିମାନବନ୍ଦରରୁ ଶଙ୍ଖ ଭବନ, ଭାୟା ନବୀନ ନିବାସ ସବୁଠି ପଡିଛି ନାରା, ପାଣ୍ଡିଆନ ଓଡ଼ିଶା ଛାଡ... 

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦୀର୍ଘ ରାଜନୈତିକ କ୍ୟାରିୟରରେ ନବୀନ ନିବାସରେ ଏଭଳି ଦୃଶ୍ୟ ଦେଖିବେ ବୋଲି କେବେ ସ୍ବପ୍ନରେ ଭାବିନଥିବେ । ସବୁବେଳେ ଦଳୀୟ କର୍ମୀଙ୍କ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଉଥିବା ନବୀନ ନିବାସରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । 

'ଡୁଆଲ ପଲିସି ଚଳିବନି'
'ଯିଏ ଚାହୁଁଛ ବିଜେପିକୁ ଚାଲିଯାଅ'
ୱାକଫ୍ ବିଲକୁ ନେଇ ବିଜେଡି ରାଜନୀତିରେ ଝଡ ଭିତରେ ବିମାନବନ୍ଦରରେ ପହଞ୍ଚି ସଂଖ୍ୟାଲଘୁ ସଂପ୍ରଦାୟର ସମର୍ଥକଙ୍କ ସହ ସିଧା ନବୀନ ନିବାସ ଯାଇଥିଲେ ରାଜ୍ୟସଭା ସାଂସଦ ମୁନା ଖାଁ । ବିଲକୁ ବିରୋଧ କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ କାହିଁକି ସସ୍ମିତ ବିବେକ ଅନୁଯାୟୀ ଭୋଟ ଦେବାକୁ ପୋଷ୍ଟ କଲେ? ନବୀନଙ୍କୁ ତାର କୈଫତ ମାଗିଥିଲେ ମୁନ୍ନା ଖାଁ । ଏପରିକି ସସ୍ମିତ କାହା ନିର୍ଦ୍ଦେଶରେ ବିଲକୁ ସମର୍ଥନ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଯାହାର ଉତ୍ତରରେ ନବୀନ କହିଛନ୍ତି, ଧର୍ମ ନିରପେକ୍ଷ ଦଳ ଭାବେ ସଂଖ୍ୟାଲଘୁ ସମ୍ପ୍ରଦାୟର ହିତ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହାସହ ପୁରୁଣା ଢଙ୍ଗରେ ଦେଖିବି, ବୁଝିବି ଓ ନିଷ୍ପତ୍ତି ନେବି କହି ବିଜେଡି କର୍ମୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ନବୀନ ।

ପ୍ରଥମ ଥର ପାଇଁ ନବୀନ ନିବାସରେ ଶୁଣିବାକୁ ମିଳିଛି ପାଣ୍ଡିଆନ ଗୋ ବ୍ୟାକ୍ ନାରା । ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ସମର୍ଥକ ପାଣ୍ଡିଆନ ହଟାଅ ନାରା ଦେଇ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି କର୍ମୀ । ତେବେ ପୂରା ପ୍ରକରଣରେ ପ୍ରଚ୍ଛଦପଟରେ ଥିବା ପାଣ୍ଡିଆନଙ୍କୁ ନେଇ ପଦୁଟିଏ ମଧ୍ୟ କହିନଥିଲେ ନବୀନ । ଯାହା ବିଜେଡି କର୍ମୀଙ୍କୁ ଉତକ୍ଷିପ୍ତ କରିଥିଲା । 

ୱାକଅଫ୍ ବିଲ ପ୍ରସଙ୍ଗରେ ରାଜ୍ୟସଭାରେ ବିରୋଧ କରିବାକୁ ନବୀନଙ୍କର ସ୍ପଷ୍ଟ ନିର୍ଦ୍ଦେଶ ଥିଲା । ଏପରିକି ବିଲ ବିରୋଧରେ ରାଲି କରିବାକୁ ମୁନ୍ନା ଖାଁକୁ ଅନୁମତି ଦେଇଥିଲେ । ନବୀନଙ୍କ ନିର୍ଦ୍ଦେଶ ଅନୁସାରେ ମୁନ୍ନା ଖାଁ ବିଲକୁ ରାଜ୍ୟସଭାରେ ବିରୋଧ କରିଥିଲେ । କିନ୍ତୁ ଭୋଟ୍ ପାଇଁ ନବୀନ କାହିଁକି ହୁଇପ୍ ଜାରି କରିନଥିଲେ? ବିଜେପିକୁ ସୁହାଇଲା ଭଳି ଗଳାବାଟ ଛାଡ଼ି ଦେବା ପଛରେ ନବୀନଙ୍କ ଭୂମିକା ମଧ୍ୟ ସନ୍ଦେହ ସୃଷ୍ଟି କରିଛି ।