କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ରାଜନୀତି । ଲଗାତାର ମହାରାଷ୍ଟ୍ରରେ ବଡ଼ ଧରଣର ହଲଚଲ ହେଉଛି । କାରଣ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି ଉଦ୍ଧବ ଠାକରେ ଓ ପୁଅ ଆଦିତ୍ୟ ଠାକରେ । କିଛିଦିନ ତଳେ ସଂପାଦକୀୟ ଲେଖି ଖୋଲାଖୋଲି ଫଡନାଭିସଙ୍କୁ ପ୍ରଶଂସା କରିଥିବା ବେଳେ ଏବେ ପୁଣି ଥରେ ସାକ୍ଷାତକାରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଖାଲି ଏତିକି ନୁହେଁ ବରଂ ମହାବିକାଶ ଅଘାଡ଼ିର ବଡ଼ ନେତା ଶରଦ ପାୱାର ମଧ୍ୟ ଫଡନାଭିସଙ୍କୁ ପ୍ରଶଂସା କରିଛନ୍ତି । ବିଧାନସଭା ନିର୍ବାଚନ ପରେ ପରେ ଶାସକ ଦଳ ପ୍ରତି ଯେଉଁପରି ଭାବରେ ବିରୋଧୀ ଦଳ ଦୁର୍ବଳତା ଦେଖାଉଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଆଗାମୀ ଦିନରେ କିଛି ଗୋଟାଏ ପରିବର୍ତ୍ତନ ହେବ ମହାରାଷ୍ଟ୍ର ରାଜନୀତିରେ । ସେପଟେ, ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ଦେବେନ୍ଦ୍ର । କହିଛନ୍ତି, ମୁଖ୍ୟମନ୍ତ୍ରୀ କୌଣସି ଦଳର ନୁହେଁ ବରଂ ସମସ୍ତଙ୍କର । ତେଣୁ କିଏ ଭେଟିଲେ ତାହାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ।
କୁହାଯାଉଛି କି, ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଦେ ଅବସର ନେବା ପରେ ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବା ପରେ ସେ ଆଦୌ ଖୁସି ନାହାନ୍ତି । ତେଣୁ କେତେବେଳେ ବି ସେ ମେଣ୍ଟରୁ ଓହରିଯାଇପାରନ୍ତି । ଏପଟେ ଚର୍ଚ୍ଚା ହେଉଛି କି ଉଦ୍ଧବ ପୁଣି ଥରେ ଏନଡିଏ ଆଡକୁ ମୁହାଁଉଛନ୍ତି । ତେଣୁ କେତେବେଳେ ଯେ ମହାରାଷ୍ଟ୍ରରେ କଣ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । କାରଣ ସଜସଜ ଉଦ୍ଧବଙ୍କ ପୁଅ ଆଦିତ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସଂପୂର୍ଣ୍ଣ ସୌଜନ୍ୟତାମୂଳକ ଥିଲା ଏବଂ ମହାରାଷ୍ଟ୍ର ବିକାଶ ଦିଗରେ ଉଭୟ ଆଲୋଚନା କରିଥିଲେ । ଏପଟେ, ବିଏମସି ନିର୍ବାଚନ ମୁଣ୍ଡ ଉପରେ ରହିଛି । ତେଣୁ ଏହି ନିର୍ବାଚନ ସମୟରେ, ବିଜେପି ଏବଂ ଠାକରେ ମିଶି ଲଢିପାରନ୍ତି । ଖାଲି ଏତିକି ନୁହେଁ ବରଂ ସିନ୍ଦେ ବି ଏନଡିଏ ସହ ମିଶି ନିର୍ବାଚନ ଲଢିପାରନ୍ତି । ଅବଶ୍ୟ ଏନେଇ ବିଧିବଦ୍ଧ ଭାବରେ କୌଣସି ଦଳ ମୁହଁ ଖୋଲିନାହାନ୍ତି କିନ୍ତୁ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।
ଉଦ୍ଧବଙ୍କ ସହ ଏନଡିଏ କରିକ କି ମେଣ୍ଟ
ରାଜନୀତିରେ କିଛି ବି ସମ୍ଭବ । କେତେବେଳେ କିଏ କେଉଁ ଦଳକୁ ଯିବ ସେନେଇ କାହା ପାଖରେ କିଛି ଉତ୍ତର ନଥାଏ । ଏ କଥା ଓଡ଼ିଶାଠୁ ଆରମ୍ଭ କରି ପ୍ରତି ରାଜ୍ୟରେ ଦେଖିବାକୁ ମିଳେ । ଠିକ୍ ସେମିତି, ବର୍ତ୍ତମାନ ସମୟରେ ମହାରାଷ୍ଟ୍ରରେ ବଡ଼ ବିପର୍ଯ୍ୟୟର ସାମ୍ନା କରିବା ପରେ ଉଦ୍ଧବ ପୁଣି ଥରେ ମୋଦି କ୍ୟାମ୍ପକୁ ଲମ୍ଫ ଦେଇପାରନ୍ତି । ଯଦି ଏମିତି ପୁଣି ଥରେ ଉଦ୍ଧବଙ୍କୁ ମନ୍ତ୍ରୀପଦ ମିଳେପାରେ ବୋଲି ଚର୍ଚ୍ଚା ହେଉଛି । ଏପଟେ ଦେବେନ୍ଦ୍ର କହିଛନ୍ତି, ଉଦ୍ଧବ ଆମ ଶତ୍ରୁ ନୁହଁନ୍ତି । ଆଉ ଉଦ୍ଧବ ଦୁଇ ପାଦ ଆଗକୁ ଯାଇ କହିଛନ୍ତି, ରାତି ପାହିଲେ କଣ ହେବ ତାହା କାହାକୁ ବି ଜଣାନାହିଁ । ଅର୍ଥାତ୍ ପରୋକ୍ଷରେ ଠାକରେ ମେଣ୍ଟ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ନାଗପୁରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ପୂର୍ବରୁ ଉଦ୍ଧବ ବାବୁ ଆମ ସହ ଥିଲେ । ତେଣୁ ଆଗକୁ କି ନିଷ୍ପତ୍ତି ହେବ କହିହେବ ନାହିଁ ହେଲେ ଠାକରେ ଜୀ ଆମର ଶତ୍ରୁ ନୁହନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଯଦି ମହାରାଷ୍ଟ୍ର ରାଜନୀତିକୁ ଆପଣ ନିରିଖେଇ ଦେଖିବେ ତାହାଲେ ବିଧାନସଭା ନିର୍ବାଚନ ସମୟରେ ଠାକରେ ସରକାର ଓ ଏନଡିଏକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । କିନ୍ତୁ ନିର୍ବାଚନର ଫଳାଫଳ ଆସିବା ପରେ ଉଦ୍ଧବ ନରମିଥିବା ସ୍ପଷ୍ଟ ଜଣାପଡୁଛି । ତେବେ ସମୟ କହିବ ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିର ଗତି ଯାଉଛି କୁଆଡ଼େ । ଯଦି ସମୀକରଣ ବଦଳେ ତାହାଲେ ମହାରାଷ୍ଟ୍ର ରାଜନୀତି ରୋଚକମୋଡ ନେବ । ଅବଶ୍ୟ ଏନେଇ ସବୁଦଳର ନେତା ମାପିଚୁପି ବୟାନ ରଖୁଛନ୍ତି । ତେଣୁ ଚର୍ଚ୍ଚା ତେଜିବାରେ ଲାଗିଛି ।