କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସଜସଜ ବିଧାନସଭା ନିର୍ବାଚନ ସରିଛି । ଏନଡିଏ ବହୁମତ ପାଇବା ପରେ ସରକାର ବି କରିଛି । ମୁଖ୍ୟମନ୍ତ୍ରୀ ଅଛନ୍ତି ଦେବେନ୍ଦ୍ର ଫଡନାଭିସ୍ । କିନ୍ତୁ ଏବେ ବିରୋଧୀ ଶାସକ ଶିବିର ଓ ଶାସକ ବିରୋଧୀ ଶିବିରକୁ ଲମ୍ଫ ମାରିବା ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଉଦ୍ଧବ ଠାକରେ ଫଡନାଭିସ୍ ସରକାରଙ୍କ ସମ୍ପାଦକୀୟ ଲେଖି ଖୋଲା ପ୍ରଶଂସା କରିବା ସହିତ ବିକାଶ ପଥରେ ମହାରାଷ୍ଟ୍ର ଆଗେଇ ଚାଲୁଥିବା କହିଥିଲେ । ଖାଲି ଏତିକି ନୁହେଁ ଶରଦ ପାୱାର ଓ ଅଜିତ ପାୱାର ସାକ୍ଷାତକାର ହେବା ପରେ ରାଜନୀତି ଜୋର ଧରିଥିଲା । ହେଲେ ଶରଦ ଚୁପ୍ ରହିଥିଲେ । ଏବେ କିନ୍ତୁ ସେ ମୁହଁ ଫିଟାଇବା ସହିତ ଯେଉଁ ବୟାନ ରଖିଛନ୍ତି ତାହାକୁ ନେଇ ସରଗରମ ହେଲାଣି ରାଜନୀତି ।
ବିଧାନସଭା ନିର୍ବାଚନ ପରେ ଶରଦ ପାୱାରଙ୍କୁ ନେଇ ବଡ଼ ଚର୍ଚ୍ଚା ହୋଇଥିଲା । ଦଳର ଏମିତି ବିପର୍ଯ୍ୟୟ ହେବା ପରେ କେବେ ସେ ମୁହଁ ଖୋଲିବେ ସେନେଇ ଆଲୋଚନା ହେଉଥିଲା । ଏମିତିକି, ଏନସିପି ଦଳ ଭାଙ୍ଗିବା ନେଇ ସମ୍ଭାବନା ବି ଦେଖାଦେଇଥିଲା । ଖାଲି ଏତିକି ନୁହେଁ ବରଂ ସଂସଦର ଶୀତକାଳୀନ ଅଧିବେଶନରେ ସାଂସଦ ସୁଶୀଲ ତଟ୍ଟେକରଙ୍କୁ ବଡ଼ ଅଫର ଦିଆଯାଇଥିବା ଚର୍ଚ୍ଚା ହେଉଛି । ଏପଟେ, ଶରଦ କହିଛନ୍ତି, ମୁଁ ମାନୁଛି ବିଧାନସଭାରେ ଆମ ଦଳ ପରାଜୟ ହେବା ପରେ ମୁଁ ଚିନ୍ତାରେ ଥିଲି । ପରେ ପରେ ଦଳ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଦଳର ଆଗାମୀ ରଣନୀତି ନେଇ ଚର୍ଚ୍ଚା ହୋଇଥିଲା । ଦଳ କାହିଁକି ହାରିଲା, ଏନଡିଏ କେମିତି ଜିତିଲା ସେନେଇ ବି ଆଲୋଚନା ହୋଇଛି ।
ପାର୍ଟି ମିଟିଂରେ କଣ କହିଲେ ଶରଦ ?
ବିଧାନସଭାରେ ପରାଜୟର ସ୍ବାଦ ଚାଖିବା ପରେ ଶରଦ କହିଥିଲେ ମୁଁ ନିଶ୍ଚିତ ଭାବରେ ଦୁଃଖୀତ ଥିଲି । କର୍ମୀଙ୍କ ମନରେ କି ପ୍ରଶ୍ନ ଉଙ୍କି ମାରୁଥିବ । ସେମାନେ ବି ହତାଶ ମନୋଭାବ ନେଇ କାମ କରୁଥିଲେ ବୋଲି ଭାବିଥିଲି । ହେଲେ ବୈଠକରେ ଯୋଗ ଦେବା ପରେ ଛାତ୍ରଙ୍କଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତା କିନ୍ତୁ ବଡ଼ ବୟାନ ଦେଇଥିଲେ । କହିଥିଲେ, ନିର୍ବାଚନରେ ହାର ଜିତ୍ ରହିଛି । ତେଣୁ ଏଥିରେ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କର୍ମୀ ଓ ନେତାଙ୍କଠୁ ଏମିତି କଥା ଶୁଣିବା ପରେ ମୋର ମନୋବଳ ବଢିଥିବା ଶରଦ କହିଥିଲେ । ଏହାସହ ନିର୍ବାଚନରେ ଆମେ ଯାହା ଭାବିଥିଲୁ ତାହାର ଓଲଟା ସ୍ଥିତି ହେବା ପରେ ଆମେ ଚିନ୍ତାରେ ଥିଲୁ କିନ୍ତୁ ଆଗାମୀ ରଣନୀତି ପ୍ରସ୍ତୁତ ହେଲାଣି । ଏଥିରେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ । ଏହାସହ ଅଜିତଙ୍କ ସହ ସାକ୍ଷାତକାର ଉପରେ ଶରଦ ପୂର୍ଣ୍ଣଚ୍ଛେଦ ଟାଣିବା ସହିତ ମୁଁ ଏବେ ବି ଥକିନି ବୋଲି ସେ କହିଛନ୍ତି ।
ଇତିହାସ ମନେ ପକାଇଲେ ଶରଦ
ଦଳ ହାରିବା ପରେ ସେ ଆଦୌ ଭାଙ୍ଗିପଡିନାହାନ୍ତି । ବରଂ ପାୱାର କହିଛନ୍ତି, ୬୦ ବର୍ଷ ପୂର୍ବେ କଣ ହୋଇଥିଲା ଆମେ ସମସ୍ତେ ଜାଣନ୍ତି । ୧୯୫୭ ମସିହାରେ କଂଗ୍ରେସ ରାଜ୍ୟରେ ୧୦୦ ପ୍ରତିଶତ ହାରିଥିଲା । ହେଲେ ୧୯୭୨ ନିର୍ବାଚନରେ ସବୁକିଛି ବଦଳିଯାଇଥିଲା । ୨୮୮ ଆସନରୁ ୨୩୦ ଆସନରେ ଦଳ ବିଜୟ ହୋଇଥିଲା । ୧୯୮୦ ନିର୍ବାଚନ ହୋଇଥିଲା, ମୋ ନେତୃତ୍ବରେ ୫୮ ରୁ ୫୯ ଆସନରେ ଆମେ ଜିତିଥିଲୁ । ପରେ ପରେ ମୁଁ ଇଲଣ୍ଡ ପଳାଇଥିଲି । ଫେରିଲା ବେଳକୁ ଦଳ ପୁରା ଦୁର୍ବଳ ହୋଇଥିଲା । ପୁଣି ଥରେ ଦଳ ପୁର୍ନଗଠନ ହେଲା ଏବଂ ୭୨ ଆସନରେ ଆମେ ବିଜୟ ହେଲୁ । ତେଣୁ ଏହି ଗୋଟିଏ ନିର୍ବାଚନରେ ଆମେ ହାରିଲା ପରେ ଆଦୌ ବ୍ୟସ୍ତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ମୁଁ ଏବେ ବି ରାଜନୀତିରେ ସକ୍ରିୟ ରହିଛି । ଆଗାମୀ ଦିନରେ ବି ସକ୍ରିୟ ରହିବି । ତେଣୁ ରାଜନୀତିରେ ହାତଜିତକୁ ନେଇ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ । ଲୋକଙ୍କ ଲାଗି ଆମେ କରିଛୁ, ଆଗକୁ ବି ଏ ଧାରା ଜାରି ରହିବ ବୋଲି କହିଛନ୍ତି ଶରଦ ।