କନକ ବ୍ୟୁରୋ: ଦେଶର ବାଣିଜ୍ୟନଗରୀ ମୁମ୍ବାଇ ବେହାଲ ହୋଇପଡିଛି । ଯେଉଁଠି ନଜର ପଡୁଛି ସେଠି ଖାଲି ପାଣି ହିଁ ପାଣି । ରାସ୍ତାଘାଟ, ଘରଦ୍ବାର, ସବୁଠି ଆଣ୍ଠୁଏଁ ପାଣି ଜମାଟ ବାନ୍ଧିଛି । ରାସ୍ତାରେ ଯାନବାହନ ଗଡିବା ବଦଳରେ ଢେଉ ଭାଙ୍ଗୁଛି ବର୍ଷା ପାଣି । ୨୪ ଘଣ୍ଟା ଚଳଚଞ୍ଚଳ ରହୁଥିବା ମୁମ୍ବାଇ କିଛି ଘଣ୍ଟା ପାଇଁ ଠପ୍ ହୋଇପଡିଛି । ରବିବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ସୋମବାର ମଧ୍ୟ ଜାରି ରହିଛି ।
ଦେଶରେ ସମୟ ପୂର୍ବରୁ ମୌସୁମୀ ପ୍ରବେଶ କରିସାରିଛି । କେରଳର ଦିନକ ପରେ ମହାରାଷ୍ଟ୍ରରେ ମୌସୁମୀ ଛୁଇଁଛି । ଏହା ପରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଯାଇଛି । ଫଳରେ ମହାରାଷ୍ଟ୍ର ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି । ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବାବେଳେ ମହାରାଷ୍ଟ୍ରର ୯ ଜିଲ୍ଲା ପାଇଁ ଅରେଞ୍ଜ ଓ ୭ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବିଏମସି ଏବଂ ଏମ୍ଏଚ୍ଏଡିଏ ପକ୍ଷରୁ ସହରରେ ଥିବା ସମ୍ବେଦନଶୀଳ ଅବସ୍ଥାରେ ଥିବା ୯୬ ପୁରୁଣା କୋଠାକୁ ଚିହ୍ନଟ କରିଛନ୍ତି । ପ୍ରାୟ ୩୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁମ୍ବାଇରେ ପାଣି ଜମିବାର ପୁରୁଣା ସମସ୍ୟାକୁ ଦୃଷ୍ଟିରେ ରଖି, ବିଏମସି ଡ୍ରେନ୍ ସଫା କରିବା, ପମ୍ପିଂ ଷ୍ଟେସନ ମରାମତି କରିବା ଏବଂ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଉପରେ ନଜର ରଖିବା ଭଳି ପ୍ରସ୍ତୁତି ଆରମ୍ଭ କରିଛି । ସେପଟେ ବର୍ଷା ସାମାନ୍ୟ ହେବା ପରେ ବିମାନ ଉଡାଣ ସ୍ବାଭାବିକ ହେଉଛି ।