କନକ ବ୍ୟୁରୋ : ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି- ଶିବସେନା(ସିନ୍ଦେ) ନେତୃତ୍ବାଧୀନ ମହାୟୁତି ମେଣ୍ଟ ବାଜି ମାରିନେଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ନେତୃତ୍ବରେ ବିଜେପି ମୁମ୍ବାଇ ମହାନଗର ନିଗମରେ ୨୨୭ ୱାର୍ଡରୁ ୯୦ଟି ୱାର୍ଡରେ ବିଜୟୀ/ଆଗୁଆ ରହିଛି। ୨୦୧୭ରେ ବିଜେପି ଏଠାରେ ୮୨ ଆସନରେ ଜିତିଥିବାବେଳେ ଚଳିତଥର ଏହି ସଂଖ୍ୟାକୁ ଟପି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଅନ୍ୟପକ୍ଷେ ବିଜେପିର‌ ମେଣ୍ଟ ସହଯୋଗୀ ଶିବସେନା ୨୮ ଆସନରେ ଆଗରେ ରହିଛି। ଉଭୟ ଏକାଠି ସହଜରେ ମୁମ୍ବାଇ‌ରେ ମ୍ୟାଜିକ୍‌ ନମ୍ବର ୧୧୪ ଅତିକ୍ରମ କରିଛନ୍ତି। ଫଳରେ ଚଳିତ ଥର ଅନେକ ବର୍ଷ ପରେ ମୁମ୍ବାଇକୁ ବିଜେପି- ଶିବସେନା (ସିନ୍ଦେ)ରୁ ଜଣେ ମେୟର ମିଳିବେ। ମୁମ୍ବାଇରେ ଦୀର୍ଘ ୨୮ ବର୍ଷ ପରେ ଠାକ୍‌ରେ ଗଡ଼ ଭୁଶୁଡ଼ି ପଡ଼ିଛି । ଇତି ମଧ୍ୟରେ ଶିବସେନା (ୟୁବିଟି ) ମେଣ୍ଟ ମୁମ୍ବାଇରେ ୬୮ ଆସନ ଅତିକ୍ରମ କରିବାପାଇଁ ସଂଘର୍ଷ କରୁଛି। ଏମଏନଏସ ମାତ୍ର ୯ ଆସନରେ ଆଗୁଆ ରହିଛି। ୟୁବିଟି ସେନା ୫୮ ଆସନରେ ଆଗୁଆ ଥିବାବେଳେ ଏନ୍‌ସିପି (ଏସ୍‌ପି) ମାତ୍ର ଗୋଟିଏ ଆସନରେ ଜିତିଛି। କଂଗ୍ରେସ ମଧ୍ୟ ମାତ୍ର ୧୦ଟି ୱାର୍ଡରେ ଆଗୁଆ ରହିଛି। ତେବେ ଏହି ରାଜନୈତିକ ଭୂକମ୍ପ ‌କେବଳ ମୁମ୍ବାଇରେ ସୀମିତ ନାହିଁ। ପୁଣେ , ପିମ୍ପଡ଼ି ଛିଞ୍ଚୱାଡ଼ା‌, କୋହ୍ଲାପୁର, ସତରା, ସୋଲାପୁର, ସାଙ୍ଗଲି ପୌର ନିଗମରେ ବି ବିଜେପି-ଶିବସେନା ମେଣ୍ଟ ଆଗୁଆ ରହିଛି। ପୁଣେ‌ରେ ଲଢ଼େଇ ମୁଖ୍ୟତଃ ବିଜେପି ଏବଂ ଅଜିତ ପାୱାରଙ୍କ ନେତୃତ୍ବାଧୀନ (ଏନସିପି) ଓ ଶରଦ ପାୱାରଙ୍କ ନେତୃତ୍ବାଧୀନ ଏନସିପି (ଏସ୍‌ପି) ମଧ୍ୟରେ ହୋଇଛି। ପୁଣେରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ କାକା ଶରଦ ପାୱାରଙ୍କ ଏକାଠି ନିର୍ବାଚନ ଲଢ଼ୁଥିବାରୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଛି। ପୁଣେରେ ମଧ୍ୟ ବିଜେପି ୮୦ ଆସନରେ ଆଗୁଆ ରହିଛି। ମିଳିତ ଏନସିପି ମେଣ୍ଟ ଏଠାରେ ପଛେଇ ଯାଇଛି। ଅଜିତ ପାୱାରଙ୍କ ଏନ୍‌ସିପି ପୁଣେରେ ୬ ଆସନରେ ଆଗୁଆ ଥିବାବେଳେ ଏନ୍‌ସିପି-ଏସ୍‌ପି ୩ ଆସନରେ ଆଗୁଆ ରହିଛି । 

Advertisment

ଅଧିକ ପଢ଼ନ୍ତୁ : ବିଏମ୍‌ସିରେ ବିପୁଳ ବିଜୟ ଅଭିମୁଖେ ବିଜେପି : କାମ ଦେଲାନି ଠାକରେ ପରିବାରର ପୁନର୍ମିଳନ

ମହାରାଷ୍ଟ୍ରରେ ମୋଟ୍‌ ୨୯ଟି ପୌର ନିଗମରେ ୮୯୨ ୱାର୍ଡର ୨୮୬୯ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ନିର୍ବାଚନ ଫଳ ମୁଖ୍ୟତଃ ବିଜେପି ସପକ୍ଷରେ ଆସିଛି। ମୋଟ୍‌ ୧୨୧୨ଟି ଆସନରେ ବିଜେପି ଆଗୁଆ ରହିଛି। ମେଣ୍ଟ ସହଯୋଗୀ ଶିବସେନା ୩୦୫ ଆସନରେ ଆଗୁଆ ରହିଛି। ଦଳ ଅନୁଯାୟୀ ଦେଖିଲେ କଂଗ୍ରେସ ୨୪୦ ଆସନରେ ଆଗୁଆ ରହି ତୃତୀୟ ସ୍ଥାନରେ ରହିଛି। ଶିବସେନା (ୟୁବିଟି) ୧୩୯ ଆସନରେ ଆଗୁଆ ରହି ଚତୁର୍ଥ ସ୍ଥାନରେ ରହିଛି ଏବଂ ଅଜିତ ପାୱାରଙ୍କ ଏନ୍‌ସିପି (୧୨୭) ଆସନରେ ଆଗୁଆ ରହିଛି। ନିର୍ବାଚନ ମଇଦାନରେ ମୋ‌ଟ୍‌ ୧୫,୯୩୧ ପ୍ରାର୍ଥୀ ଥିଲେ। ରାଜ୍ୟ ନିର୍ବାଚନ କମିସନ୍‌ କହିଛନ୍ତି, ମହାରାଷ୍ଟ୍ରରେ ମୋଟ୍‌ ମତଦାନ ପ୍ରତିଶତ ୫୪.୭୭ ରହିଛି। ନୂଆକରି ଗଠନ ହୋଇଥିବା ଇଚାଲକରଞ୍ଜି ପୌର ନିଗମରେ ସର୍ବାଧିକ ୬୯.୭୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ମୁମ୍ବାଇରେ ୫୨.୯୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଉଲ୍ଳେଖଯୋଗ୍ୟ ଯେ ଚଳିତଥର ମହାରାଷ୍ଟ୍ର ପୌର ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିଲା। ଦେଶର ଆର୍ଥିକ ରାଜଧାନୀରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ଏବଂ ଏକାଠି ହୋଇଥିବା ଠାକ୍‌ରେ ଭ୍ରାତା ତଥା ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି) ଓ ରାଜ୍‌ ଠାକ୍‌ରେଙ୍କ ଏମ୍‌ଏନଏସ ମଧ୍ୟରେ ଏକ ‌ପ୍ରେଷ୍ଟିଜ୍‌ ଲଢ଼େଇ ହୋଇଥିଲା। କିନ୍ତୁ ଉଦ୍ଧବ ଠାକ୍‌ରେ ଏବଂ ରାଜ୍‌ ଠାକ୍‌ରେ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହାନ୍ତି।