କନକ ବ୍ୟୁରୋ: ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ତହବୁର ରାଣା । ଏବେ ସେ ତିହାର୍‌ ଜେଲ୍‌ରେ କଏଦୀ ନମ୍ବର ୧୭୮୪ । ୧୬ ବର୍ଷ ପରେ ଏହି ଆତଙ୍କୀକୁ ଗିରଫ କରି ଭାରତକୁ ପ୍ରତ୍ୟର୍ପଣ କରିଛି ଆମେରିକା । ଏନ୍‌ଆଇଏ କଷ୍ଟଡିରେ ରଖିବା ପରେ ଏବେ ତିହାର ଜେଲ୍‌ରେ ଖୁଁଖାର ଆତଙ୍କାବାଦୀଙ୍କ ୱାର୍ଡରେ ତାକୁ ରଖାଯାଇଛି । ହେଲେ ଜେଲ୍‌ରେ ରହି ବି ଆତଙ୍କୀ ତହବୁର ରାଣାର ବାବୁ ଠାଣି ଯାଉନି । କେତେ ଇଣ୍ଡିଆନ ଟଏଲେଟ୍‌କୁ ନେଇ ନାକ ଟେକୁଛି ତ କେତେବେଳେ ଜେଲ୍‌ ରୁଟି ନେଇ କରୁଛି ଅଭିଯୋଗ । ଏବେ ନିଜ ୱାର୍ଡ୍‌ରେ ୱେଷ୍ଟର୍ଣ୍ଣ ଟଏଲେଟ୍‌ ବ୍ୟବସ୍ଥା କରିବାକୁ ଦାବି କରିଛି । 

Advertisment

ତିହାର ଜେଲ୍‌ରେ ତହବୁର ରାଣା ପାଖ ୱାର୍ଡ୍‌ରେ ଅନ୍ୟ ୬ ଜଣ କୁଖ୍ୟାତ ଆତଙ୍କବାଦୀ ରହିଛନ୍ତି । କେତେକ ଗ୍ୟାଙ୍ଗ୍‌ଷ୍ଟର ବି ଏହି ୱାର୍ଡ୍‌ ପାଖାପାଖି ରହିଛନ୍ତି । ଏମାନଙ୍କୁ ଅଲଗା ଅଲଗା ସେଲ୍‌ରେ ରଖାଯାଇଛି । ଏଣୁ ଏମାନେ କଥାବାର୍ତ୍ତା କରି ପାରନ୍ତି ନାହିଁ । ଗତ ସପ୍ତାହରେ ତହପୁର ରାଣାକୁ ପଟିଆଲା ହାଉସ୍‌ କୋର୍ଟ ତହବୁର ରାଣାକୁ ଜୁନ୍‌ ୬ ତାରିଖ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଜଜ୍‌ଙ୍କ ସାମ୍ନାରେ ଏନ୍‌ଆଇଏ ତହବୁର ରାଣାର ଭଏସ୍‌ ସାମ୍ପଲ୍‌ ଓ ହ୍ୟାଣ୍ଡ୍‌ରାଇଟିଂ ସାମ୍ପଲ ଦାଖଲ କରିଥିଲା । ଏବେ ତିହାର ଜେଲ୍‌ର ଯେଉଁ ୱାର୍ଡ୍‌ରେ ତାକୁ ରଖାଯାଇଛି, ସେଠାରେ କମ କଏଦୀ ରହିଛନ୍ତି । ତହବୁର ରହିଥିବା ୱାର୍ଡ ଭିତରକୁ ଅନ୍ୟ କୌଣସି କଏଦୀ ଯିବାକୁ ଅନୁମତି ନାହିଁ । ଜେଲ୍‌ର ଅଧିକାରୀମାନଙ୍କ ସହ କେବଳ ଇଂରାଜୀରେ କଥାବାର୍ତ୍ତା କରୁଛି । ଏହାସହ ଇଣ୍ଡିଆନ୍‌ ଟଏଲେଟ୍‌ ବଦଳରେ ୱେଷ୍ଟର୍ଣ୍ଣ ଟଏଲେଟ୍‌ ବ୍ୟବସ୍ଥା କରିବାକୁ ଗୁହାରି କରିଛି ।

ତିହାର ଜେଲ୍‌ରେ ତହବୁର ରାଣା କେତେକ ବହି ଯୋଗାଇ ଦେବାକୁ ଦାବି କରିଛି । ଏଠାରେ ରହିବା ପାଇଁ ତାକୁ ୬ଟି କମ୍ବଳ ଦିଆଯାଇଥିବା ବେଳେ ଖାଇବାକୁ ପ୍ରତିଦିନ ବ୍ରେକ୍‌ଫାଷ୍ଟ୍‌ରେ ଚା‘ ବିସ୍କୁଟ୍‌, ବ୍ରେଡ୍‌ ଓ ଲଞ୍ଚ୍‌ରେ ଭାତ ଡାଲି ଆଦି ଦିଆଯାଉଛି । ରୁଟି ଖାଇବାକୁ ପସନ୍ଦ କରୁନଥିବାରୁ ରାତିରେ ମଧ୍ୟ ତହବୁର ରାଣାକୁ ଖାଇବାକୁ ଭାତ ଡାଲି ଦେଉଛନ୍ତି ଜେଲ୍‌ କର୍ତ୍ତୃପକ୍ଷ । 

୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହେଉଛି ତହବୁର ରାଣା । ସେ ପାକିସ୍ତାନରେ ବ୍ୟବସାୟ କରୁଥିଲା । ହେଲେ ତା ସହିତ ଆତଙ୍କବାଦୀ ଡେଭିଡ୍‌ ହେଡଲିକୁ ସହଯୋଗ କରିଥିଲା । ହେଡଲିର ପିଲାଦିନର ସାଙ୍ଗ ହେଉଛି ତହବୁର ରାଣା । ମୁମ୍ବାଇରେ ଆକ୍ରମଣ ପାଇଁ ସେ ଆର୍ଥିକ ସହାୟତା ଦେଇଥିଲା । ୭ଟି ଭାଷାରେ କଥା ହୋଇପାରେ ତହବୁର । ୧୯୯୭ରେ ପାକିସ୍ତାନରୁ କାନାଡ଼ା ଯାଇଥିଲା ରାଣା । ଏବେ ତାକୁ କାନାଡ଼ାର ନାଗରିକତା ବି ମିଳିଛି ।