କନକ ବ୍ୟୁରୋ: ପୁରୀ ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଅଭାବନୀୟ ଘଟଣା। ଶ୍ୱଶୁର ଘରେ ସ୍ତ୍ରୀ ଓ ଦେଢ଼ ଶାଶୁର ପୁଅକୁ ହାଣିଲା ଜ୍ୱାଇଁ । ଏହା ପରେ ଗାଁଲୋକେ ଅଭିଯୁକ୍ତକୁ ଅଟକ ରଖି ନିର୍ଦ୍ଧୁମ ମାଡ଼ ମାରିଛନ୍ତି । ଅଭିଯୁକ୍ତ ହେଉଛି ଖୋର୍ଦ୍ଧା କଳାପଦର ଗାଁର ଗୁଣ୍ଡିଚା ପ୍ରଧାନ ଓରଫ କାଳୁ । ଦୀର୍ଘଦିନ ହେବ ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ରହିଥିଲା । ଆଜି ସକାଳୁ ପାରିବାରିକ କଳହକୁ ନେଇ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଓ ପୁତୁରାକୁ ହାଣି ପକାଇଛି କାଳୁ। ସ୍ତ୍ରୀର ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି କାଳୁକୁ ବାନ୍ଧି ପକାଇଥିଲେ । ସ୍ତ୍ରୀ ଓ ପୁତୁରାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ରହିଛି । ଗାଁ ଲୋକଙ୍କଠାରୁ ଖବର ପାଇ କୁସୁବେଣ୍ଟି ଗାଁ ପୋଲିସ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି।
ସେପଟେ ଝିଅକୁ ମାରିଦେଲା ବାପା । କୁମାର ପୂର୍ଣ୍ଣିମାରେ ୬ବର୍ଷ ଶିଶୁ କନ୍ୟାର ଜୀବନ ନେଲା ବାପା । ଏଭଳି ଅଘଟଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାବେଡା ପଞ୍ଚାୟତ ସ୍ଥିତ ଆର.ଏ.ସି-୧୪ ଗ୍ରାମରେ । ଆଜି ସକାଳେ ଘରେ ଖେଳୁ ଥିବା ସମୟରେ ନିଜ ଝିଅକୁ ଛୁରୀରେ ଆକ୍ରମଣ କରିଥିଲା ବାପା । ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଯାଇଥିଲା। । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ସେଠାରୁ ଫେରାର ହୋଇ ଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଚିତ୍ରକୋଣ୍ଡା ପୁଲିସ । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ୨ଟି ଟିମ ଗଠନ କରି ଖୋଜିବା ଆରମ୍ଭ କରିଛି ପୁଲିସ ।