କନକ ବ୍ୟୁରୋ : କୋରାପୁଟ ରେଲୱେ କଲୋନିରେ ରହନ୍ତି ରାଧାରାଣୀ ବାରିକ । ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯାଜନାରେ ୩ ଲକ୍ଷ ଟଙ୍କା ଋଣ ନେଇ ଗୋପାଳନ କରିଛନ୍ତି । ଚଳିତମାସ ୭ ତାରିଖରେ ଦିଲ୍ଲୀରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନାର ହିତାଧିକାରୀ ସାକ୍ଷାତକାର କାର୍ଯ୍ୟକ୍ରମରେ ସେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ହିତାଧିକାରୀମାନେ ସାମିଲ ହୋଇଥିବା ବେଳେ ଓଡ଼ିଶାରୁ ଦୁଇ ଜଣ ଭାଗ ନେଇଥିଲେ । କୋରାପୁଟ ଜିଲ୍ଲାରୁ ରାଧାରାଣୀ ବାରିକ ଓ କଟକରୁ ଜଣେ ହିତାଧିକାରୀ ଯୋଗଦେଇଥିଲେ । ଏଥିପାଇଁ ରାଧାରାଣୀ ଖୁସି ବ୍ୟକ୍ତ କରିଛନ୍ତି ।
ରାଧାରାଣୀ ଜଣେ ସାଧାରଣ ଗୃହିଣୀ । ଘର ଚଳାଇବା କଷ୍ଟକର ହେବାରୁ କିଛି ରୋଜଗାର ଆଶାରେ ଦୁଇଟି ଗାଈ ରଖିଥିଲେ । ଅଧିକ କିଛି କରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ସାଜିଥିଲା ବାଧକ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନା ତାଙ୍କୁ ବହୁତ ସହଯୋଗ କରିଛି । କୋରାପୁଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଋଣ ନେଇ ଗୋପାଳନ ଆରମ୍ଭ କରିଥିଲେ ରାଧାରାଣୀ । ଏବେ ସେ ସେଥିରୁ ମାସକୁ ୨୦ ହଜାରରୁ ୨୨ ହଜାର ଟଙ୍କା ରୋଜଗାର କରୁଛନ୍ତି । କ୍ଷୀର ବିକ୍ରି କରିବା ସହ ଗାଈ ଗୋବରକୁ ଖତ କରି ବିକ୍ରି କରୁଛନ୍ତି ।
ଗୋପାଳନରୁ ରୋଜଗାର ହେଉଥିବା ଟଙ୍କାରେ ଘର ଚଳିବା ସହ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠୁଛି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।