ଲଗାଣ ବର୍ଷାରେ ଭାଙ୍ଗିଗଲା ମାଟି ଘର । ଅଳ୍ପକେ ବର୍ତ୍ତିଗଲା ଅସହାୟ ବୃଦ୍ଧାଙ୍କ ପରିବାର

ଲଗାଣ ବର୍ଷାରେ ଭାଙ୍ଗି ଗଲା ମାଟି ଘର। ଅସହାୟ ବୃଦ୍ଧା ଏବେ ବାରଦୁଆର ବୁଲୁଛନ୍ତି। ଘର ଖଣ୍ଡିଏ ପାଇଁ ଅଭିଯୋଗ କରିକରି ନିରାଶ ହୋଇଛନ୍ତି। ମାଟି ଘର ଭାଙ୍ଗିଯାଇଛି କିନ୍ତୁ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଛି।

ୱ

କନକ ବ୍ୟୁରୋ : ଲଗାଣ ବର୍ଷାରେ ଭାଙ୍ଗି ଗଲା ମାଟି ଘର । ଅସହାୟ ବୃଦ୍ଧା ଏବେ ବାରଦୁଆର ବୁଲୁଛନ୍ତି । ଘର ଖଣ୍ଡିଏ ପାଇଁ ଅଭିଯୋଗ କରିକରି ନିରାଶ ହୋଇଛନ୍ତି । ମାଟି ଘର ଭାଙ୍ଗିଯାଇଛି କିନ୍ତୁ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଛି । ଏବେ ନା ଘରେ ଚୁଲି ଜଳୁଛି ନା ମୁଣ୍ଡ ଗୁଞ୍ଜିବାକୁ ଛାତ ଅଛି । ଅସହାୟ ପରିବାର । ପୀଡ଼ିତଙ୍କ ପାଖରେ ପହଞ୍ଚି ନାହାନ୍ତି ସରପଞ୍ଚ କି ପ୍ରଶାସନ ।

ଅନୁଗୋଳ ସଦର ମହକୁମାରେ ରହିଛି, ବନରପାଳ ବ୍ଲକ କରଡାଗାଡିଆ ପଞ୍ଚାୟତ । ୪ ନମ୍ୱର୍ ୱାର୍ଡ ଉପରସାହିରେ ବସବାସ କରନ୍ତି କ୍ଷୀର ନାଏକ । ବହୁ ବର୍ଷ ପୂର୍ବରୁ କ୍ଷୀରଙ୍କ ସ୍ବାମୀ ଏକ ଦୁର୍ଘଟଣାରେ ପ୍ରାଣ ହରାଇବା  ପରେ ଭତା ଟଙ୍କାରେ ଗୁଜୁରାଣ ମେଣ୍ଟାଉଛନ୍ତି । ବୟସ ୭୦ ଟପିଲାଣି । ମୁଲ ମଜୁରୀ କରିପାରୁନାହାନ୍ତି । ଝିଅ ବାହାଘର ପରେ ଭଙ୍ଗା ଦଦରା ମାଟିଘରେ ଏକାକି ଜୀବନ ବିତାଉଛନ୍ତି । ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ।

ଲଗାଣ ବର୍ଷାରେ ହଠାତ୍ ରାତିରେ ଭୁଶୁଡ଼ି ପଡ଼ିଲା ମାଟିଘର । ସେତେବେଳେ ଘର ଭିତରେ ଥିଲେ କ୍ଷୀର, ତାଙ୍କ ଝିଅ ଓ ନାତି ନାତୁଣୀ । ଭଗବାନଙ୍କ ଦୟାରୁ ଅଳ୍ପକେ ବଞ୍ଚିଗଲା ଜୀବନ । ଏବେ ବାସହରା ହୋଇ ୟା-ତା ଘର ବୁଲୁଛନ୍ତି । ଘରେ ଚୁଲି ଜଳୁନି। ଖିଆପିଆ ନାହିଁ, ଭୋକ ଉପବାସରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ଷବର୍ଷ ଧରି ଭଙ୍ଗା ଘରେ ଅସହାୟ ପରିବାର ରହୁଥିଲେ ମଧ୍ୟ ଏଯାଏଁ ସରପଞ୍ଚ କି ପ୍ରଶାସନ କେହି ତାଙ୍କ ପାଖରେ ପହଞ୍ଚି ନାହାନ୍ତି । ସରକାରୀ ଆବାସଟିଏ ବି ମିଳିନାହିଁ । ତେଣୁ ନିଜ ଭଙ୍ଗାଘରକୁ ଭଙ୍ଗାଅଣ୍ଟା ସଜାଡୁଛନ୍ତି କ୍ଷୀର । 

ଭୋଟ ସମୟରେ କ୍ଷୀରଙ୍କ ପାଖକୁ ନେତା ଆସନ୍ତି, ପ୍ରତିଶ୍ରୁତି ବି ଦିଅନ୍ତି । କିନ୍ତୁ ବିପଦ ବେଳେ କେହି ବି ଠିଆ ହେଉନାହାନ୍ତି । ବର୍ଷାରେ ବାସହାର ପରିବାରର ଅସହାୟତାକୁ ନେଇ ସରପଞ୍ଚ ଶାନ୍ତିଲତା ବେହେରାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହିଁ ଯୋଗାଯୋଗ ହୋଇପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe