କନକ ବ୍ୟୁରୋ : କୁମ୍ଭମେଳାକୁ ନେଇ ଯୋଗୀ ସରକାର ଯେତିକି ସୁନାମ ଅର୍ଜନ କରିଛନ୍ତି ତା ଠାରୁ ଅଧିକ ଦୁର୍ନାମ ମୁଣ୍ଡାଇଲେଣି । ମହାକୁମ୍ଭରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାକୁ ନେଇ ବିରୋଧୀ ଏବେ ଖଡ୍ଗହସ୍ତ । କେବେ ଅଖିଳେଶ ତ କେବେ କେଜ୍ରିୱାଲ ପୁଣି କେବେ କଂଗ୍ରେସ ତ ଏବେ ମମତା ବାନାର୍ଜୀ । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମହାକୁମ୍ଭ ନାମରେ ନରସଂହାର କରାଯାଉଥିବା ଅଭିଯୋଗ କରିଥିବା ବେଳେ ଏବେ ମମତା ବାନାର୍ଜୀ ମହାକୁମ୍ଭକୁ ମୃତ୍ୟୁର କୂୁମ୍ଭ କହିଛନ୍ତି । ମହାକୁମ୍ଭରେ ଅନେକ ଲୋକଙ୍କ ମୃତ୍ୟୁକୁ ନେଇ ସାଧୁସନ୍ଥମାନେ ପାଟି ଖୋଲିନଥିବା ବେଳେ ମମତାଙ୍କ ବୟାନକୁ ଘୋର ବିରୋଧ କରିଛନ୍ତି । ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ ମମତା କହିଥିଲେ କି ଏବେ ମହାକୁମ୍ଭ ଆଉ ମହାକୁମ୍ଭ ହୋଇନାହିଁ ବରଂ ଏହା ମୃତ୍ୟୁର କୁମ୍ଭରେ ପରିବର୍ତ୍ତନ ହୋଇସାରିଛି । ମହାକୁମ୍ଭ ବୟାନ ଅଧାରରେ ମମତା ବାନାର୍ଜୀ କେନ୍ଦ୍ରର ବିଜେପି ଓ ରାଜ୍ୟର ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । 

Advertisment

ମମତା ବାନାର୍ଜୀ ଆହୁରି କହିଛନ୍ତି କି ଭିଆଇପି ମାନଙ୍କ ପାଇଁ କୁମ୍ଭମେଳାରେ କୌଣସି ଅସୁବିଧା ନଥିବା ବେଳେ ସାଧାରଣ ଲୋକେ କେବେ କୁମ୍ଭରେ ପହଂଚି ଭିଡରେ ମରୁଛନ୍ତି ତ କେବେ ପୁଣି କୁମ୍ଭକୁ ଯିବା ପାଇଁ ରେଳ ଷ୍ଟେସନରେ ଦଳାଚକଟା ହୋଇ ମୃତ୍ୟୁବରଣ କରୁଛନ୍ତି । ଏତେ ବଡ ଆୟୋଜନ, କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ସରକାର ଓ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଶାସନର ବିଫଳତା ଯୋଗୁଁ ଏତେ ଲୋକଙ୍କର ଜୀବନ ଗଲା । ମାତ୍ର ଏନେଇ ସରକାର ଦୁଃଖ ପ୍ରକାଶ କରିବା ପରିବେର୍ତ୍ତ ପ୍ରଚାର କରିବାରେ ଲାଗିଛନ୍ତି । ମମତା ଏପଟେ ମହାକୁମ୍ଭରେ ଘଟିଥିବା ଅଘଟଣକୁ ନେଇ ଯୋଗୀ ସରକାରଙ୍କୁ ଘେରିଥିବା ବେଳେ ମହାକୁମ୍ଭକୁ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି । ଏହା ସହ ଗଙ୍ଗା ମାଆର ସମ୍ମାନ କରୁଥିବା କଥା ମଧ୍ୟ କହିଛନ୍ତି ।