କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ତେବେ ଉତ୍ସବରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ନଥିବାରୁ ମେୟର ସୁଲୋଚନା ଦାସ ତାଙ୍କୁ ସମାଲୋଚନା କରିଛନ୍ତି । ଆଜି ଓ ଆସନ୍ତାକାଲି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।

Advertisment

୭୬ ପୂରି ୭୭ ବର୍ଷରେ ପାଦ ଦେଇଛି ରାଜଧାନୀ ଭୁବନେଶ୍ୱର । ୧୯୪୮ ଏପ୍ରିଲ ୧୩ ତାରିଖରେ ରାଜଧାନୀ ଭୁବନେଶ୍ୱର ଶିଳାନ୍ୟାସ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ । ସେବେର ରାଜଧାନୀ ଓ ଏବେର ରାଜଧାନୀ ମଧ୍ୟରେ ଆକାଶ ପାତାଳ ଫରକ । ଛୋଟିଆ ଭୁବନେଶ୍ୱର ଗାଁ ଏବେ ମହାନଗରରେ ପରିଣତ ହୋଇଛି । ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । 

ସେପଟେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ନେଇ ଆରମ୍ଭ ହୋଇଛି ନିମନ୍ତ୍ରଣ ରାଜନୀତି । କାର୍ୟ୍ୟକ୍ରମକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଯୋଗଦେଇନଥିଲେ । ଏନେଇ ଅପରାଜିତାଙ୍କୁ ଟାର୍ଗେଟ୍ କରିଛନ୍ତି ମେୟର ସୁଲୋଚନା ଦାସ । ଅପରାଜିତାଙ୍କ ପାଇଁ ଭୁବନେଶ୍ୱର ବଡ଼ ନୁହେଁ, ଦଳ ବଡ଼ ବୋଲି ସୁଲୋଚନା କଟାକ୍ଷ କରିଛନ୍ତି । ଏକାମ୍ର ବିଜେପି ବିଧାୟକ ବାବୁ ସିଂ ମଧ୍ୟ ଯୋଗଦେଇନଥିଲେ । ଏପ୍ରିଲ ୧୩ ଓ ୧୪ ତାରିଖ ଦୁଇଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ  କରାଯାଉଛି ।