କନକ ବ୍ୟୁରୋ: ବିଜେଡିରେ ଚାଲିଛି କ'ଣ ? ନେତା ନେତାଙ୍କ ମଧ୍ୟରେ ପଡୁନି ବୋଲି କଥା ପୂରା ସ୍ପଷ୍ଟ ହେଲାଣି । କାରଣ ଯେଉଁପରି ଭାବରେ ୱାକଫ୍ ବିଲକୁ ନେଇ ବିଜେଡି ଦୁଇ ଗୋଷ୍ଠୀରେ ବିଭକ୍ତ ହେଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି କି ବିଜେଡିରେ ଆଉ କିଛି ଠିକ୍ଠାକ୍ ନାହିଁ । ପ୍ରଥମେ ବିଲ୍କୁ ବିଜେଡି ବିରୋଧ କରିବ ବୋଲି କୁହାଯାଇଥିଲା । ଏନେଇ ଦଳ ପକ୍ଷରୁ ରାଜ୍ୟସଭାରେ ଶାଣିତ ଯୁକ୍ତି ରଖିଥିଲେ ସାଂସଦ ମୁନ୍ନା ଖାନ୍ । ହେଲେ ପରବର୍ତ୍ତୀ ସମୟରେ ସସ୍ମିତ ପାତ୍ର ଟ୍ବିଟ୍ କରି କହିଥିଲେ ଭୋଟ୍ ପାଇଁ ଦଳ ପକ୍ଷରୁ ହ୍ବିପ୍ ଜାରି ହୋଇନି । ବିବେକ ଅନୁସାରେ ଭୋଟ୍ ଦେବେ । ଯଦି ବିବେକ ଅନୁସାରେ ଭୋଟିଂ ହେବାର ଥିଲା ତା'ହେଲେ ବିରୋଧ କରାଯିବ ବୋଲି କାହିଁକି କୁହାଗଲା ? ଯଦି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧ କରିବାକୁ କହିଥିଲେ ତାହେଲେ ସସ୍ମିତ ପାତ୍ର କାହା ଇସାରାରେ ଏମିତି ଟ୍ବିଟ୍ କଲେ ? କିଛି ଏମିତି ଚର୍ଚ୍ଚା ଏବେ ଜୋର ।
ୱାକଫ୍ ବିଲ୍ରେ ଫଶିଗଲା ବିଜେଡି
ମୁନ୍ନା ଖାନ୍ ଓ ସସ୍ମିତ ପାତ୍ରଙ୍କ ଭିତରେ ଚାଲିଛି କି ଶୀତଳ ଯୁଦ୍ଧ ?
ଦଳର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁନ୍ନା ଖାନ୍ଙ୍କୁ ନେଇ ଚର୍ଚ୍ଚା ଜୋର । ଚର୍ଚ୍ଚା ଏଇଥି ଲାଗି ହେଲା, କାରଣ ଗୋଟିଏ ପ୍ରସଙ୍ଗରେ ଉଭୟ ଭିନ୍ନଭିନ୍ନ ମତାମତ ଦେଲେ । ମତ ଦେବା ଆଦୌ ଅନୁଚିତ୍ ବୋଲି ଆମେ କହୁନାହୁଁ କିନ୍ତୁ ଗୋଟିଏ ପ୍ରସଙ୍ଗରେ ଭିନ୍ନଭିନ୍ନ ମତ ଦେବା ପରେ ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ସେପଟେ, ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ସଂଶୋଧିତ ୱାକଫ୍ ବିଲ୍ । ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏନେଇ ଶ୍ରୀ ପାତ୍ର, ଏଏନଆଇକୁ ସୂଚନା ଦେଇଛନ୍ତି । କହିଛନ୍ତି ଯେ ସେ ବିଲକୁ ସମର୍ଥନ କରିଛନ୍ତି । ତେବେ ବିଜେଡିର ବାକି ସାଂସଦଙ୍କ ସମ୍ପର୍କରେ ଏନେଇ କୌଣସି ଆଲୋଚନା କରିନାହାନ୍ତି । ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି । କିନ୍ତୁ ଏବେ ସବୁଠୁ ବଡ଼ ପ୍ରଶ୍ନ, ସସ୍ମିତଙ୍କ ସହ ଅନ୍ୟ କେଉଁ ସାଂସଦ ବିଲ୍କୁ ସମର୍ଥନ ଦେଇଛନ୍ତି ଏବଂ କେଉଁମାନେ ବିରୋଧ କରିଛନ୍ତି ତାହା ଏବେ ବି ସସ୍ପେନ୍ସରେ ରହିଛି ।
ୱାକଫ୍ ବିଲ୍କୁ ନେଇ ଏନଡିଏ ସହ ବିଜେଡିର କି ଡିଲ୍ ?
ୱାକଫ୍ ବିଲ୍କୁ ନେଇ ଏବେ ସରଗରମ ହେଲାଣି ରାଜନୀତି । ପୂର୍ବରୁ ବିଜେଡି ଏହାକୁ ବିରୋଧ କରିବ ବୋଲି କୁହାଯାଉଥିବା ବେଳେ ସସ୍ମିତ କିନ୍ତୁ ସମର୍ଥନ ଦେଇଛନ୍ତି । କୁହାଯାଉଛି ଦଳର ବରିଷ୍ଠ ନେତା ସସ୍ମିତ ପାତ୍ର ଖୋଲାଖୋଲି ବିଲ୍କୁ ସମର୍ଥନ ଦେଇଥିବାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସେ ନିଶ୍ଚିତ ଦଳର ସୁପ୍ରିମୋଙ୍କୁ ଏନେଇ ଅବଗତ କରିଥିବେ । ତେଣୁ ନବୀନ ପୁଣି ଥରେ ବିଜେପିକୁ ଢଳୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏନେଇ ନବୀନ ପଟ୍ଟନାୟକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ କିନ୍ତୁ ଆଲୋଚନା ଜୋରଦାର ହେଉଛି ।
ବିଜେଡିର ବିବେକ ଦୁଇଫାଳ ହେଲା କାହିଁକି ?
ବାଧ୍ୟବାଧକତା ନା ଅନ୍ୟ କିଛି କାରଣ ?
ଭିତିରିଆ ଡିଲ୍ ହୋଇଗଲା କି ?
କଥାହେଲା, ବିଜେପି ବିଜେଡି ମଧ୍ୟରେ ପୂର୍ବରୁ ଅଘୋଷିତ ମେଣ୍ଟ ଥିବା ବାରମ୍ବାର କହିଛି କଂଗ୍ରେସ । ଆଉ ଗତକାଲିର ଘଟଣା ଲାଗି ପୁଣି ଥରେ ମେଣ୍ଟ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ଦଳର ନେତା । ହେଲେ ଏବେ ପ୍ରଶ୍ନ, ପୂର୍ବରୁ ମମତା ମହାନ୍ତ ଓ ସୁଜିତ୍ ଯାହା କରିଥିଲେ ସସ୍ମିତ ତାହା କରିବେ କି । ମୋଦୀଙ୍କ ବିଶ୍ବସ୍ତ ହେବାକୁ ସେ ଚେଷ୍ଟା କରୁଛନ୍ତି କି । କାଳି ଗାଈର ଭିନ୍ନ ଗୋଠ ପରି ସସ୍ମିତ ଅନ୍ୟ ସାଂସଦଙ୍କ ନିଷ୍ପତ୍ତିରୁ ନିଜ ନିଷ୍ପତ୍ତିକୁ ଭିନ୍ନ ରଖିଲେ କି । କିଛି ଏମିତି ପ୍ରଶ୍ନ ଏବେ ଉଙ୍କି ମାରୁଛି । ତେବେ ପୂରା ଘଟଣାରେ କିନ୍ତୁ ସସ୍ମିତ ପାତ୍ର କିମ୍ବା ବିଜେଡି ସଭାପତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।