କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାଧାରଣ ନିର୍ବାଚନ ଇଭିଏମ୍‌ରେ ହେଉଥିବାବେଳେ, ବାଲଟ୍‌ ବକ୍ସରେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ସାଂସଦ । ତେବେ ନିୟମ ଅନୁସାରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଆଜି ସକାଳ ୧୦ଟାରୁ ଭୋଟିଂରେ ଭାଗ ନେଇଥିଲେ । ସନ୍ଧ୍ୟା ୫ଟା ସୁଦ୍ଧା ଶେଷ ହୋଇଥିଲା ମତଦାନ ପ୍ରକ୍ରିୟା ।

ଉପରାଷ୍ଟ୍ରପତି ନିର୍ବାଚନର ନିୟମ

Advertisment
  • ସାଂସଦମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ହୋଇ ଭୋଟ୍ ଦେଇଛନ୍ତି
  • ଅନ୍ୟ କାହାରି ସାହାଯ୍ୟ ନ ନେଇ ଗୁପ୍ତ ଭାବରେ ମତଦାନ
  • ପ୍ରିଭେଣ୍ଟିଭ ଡିଟେନ୍‌ସନ୍‌ରେ ଥିଲେ ପୋଷ୍ଟାଲ ବାଲଟ୍‌ରେ ଭୋଟିଂ
  • ଶେଖ ଅବଦ୍ଦୁଲ ରସିଦ ଓ ଅମୃତ ପାଲ ସିଂ ଜେଲ୍‌ରୁ ଭୋଟ୍‌ ଦେଇଛନ୍ତି

ତେବେ ଏଥର ମୈଦାନରେ ଥିଲେ ଏନ୍‌ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ହେଲେ ମତଦାନରୁ କିନ୍ତୁ ଦୂରେଇ ରହିଥିଲେ ତିନି ଦଳ ବିଜେଡି, ବିଆରଏସ ଓ ଅକାଳୀ ଦଳ । ତିନିଟି ଦଳର କେବଳ ରାଜ୍ୟସଭାରେ ପ୍ରତିନିଧିତ୍ୱ ରହିଛି । ବିଜେଡି, ବିଆରଏସ୍‌ ଓ ଅକାଳୀ ଦଳର ମୋଟ ୧୨ ଜଣ ସାଂସଦ, ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ନାହାନ୍ତି ।  

ସୂଚନାଯୋଗ୍ୟ ଯେ, ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ପଦରୁ ଅବ୍ୟାହତି ନେଇଥିବାବେଳେ, ବିରୋଧୀ ଏହାକୁ ଭିନ୍ନ ଭାବେ ଚିତ୍ରଣ କରିଆସୁଛନ୍ତି ।