କନକ ବ୍ୟୁରୋ : ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ ଶାହ କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଥମିନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟ ଓ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେବା ସହ ବିଜୟ ଶାହଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବିଜେପି ତରଫରୁ କେବଳ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରାଯାଇଥିଲେ ବି ବିଜୟ ଶାହଙ୍କ ଉପରେ କୌଣସି ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାରି ଭିତରେ ପୁଣି ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡା ସେନା ଓ ସୈନିକଙ୍କୁ ନେଇ ଏକ ଲଜ୍ଜାଜନକ ବୟାନ ଦେଇଛନ୍ତି । ଜବଲପୁର ଠାରେ ଅନୁଷ୍ଠିତ ପ୍ରତିରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ଦେବଡା କହିଛନ୍ତି କି, ଅପରେସନ ସିନ୍ଦୂରର ସଫଳତା ପରେ ପୂରା ଦେଶ, ଦେଶର ସେନା ଓ ସୈନିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚରଣରେ ନତମସ୍ତକ ।
ଦେବଡା କହିଛନ୍ତି କି, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି । ପୂରା ଦେଶ, ଦେଶର ସେନା ଓ ସୈନିକ ତାଙ୍କ ଚରଣରେ ନତମସ୍ତକ । ସେ ଯେଭଳି ଭାବେ ପାକିସ୍ତାନକୁ ଜବାବ ଦେଲେ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ ।
ଦେବଡାଙ୍କ ଏଭଳି ବୟାନକୁ ନେଇ ଏବେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି । କଂଗ୍ରେସ ଏହି ବୟାନକୁ ସେନାର ଅପମାନ ବୋଲି କହିଛି । ଏହାସହ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏଭଳି ବୟାନ ରାଜ୍ୟକୁ ଲଜ୍ଜିତ କରିଥିବା କଥା କଂଗ୍ରେସ କହିଛି । ଏହା ସେନାର ପରାକ୍ରମ ଉପରେ ଅପମାନ । ଯେତେବେଳେ ସାରା ଦେଶ ସେନା ସାମ୍ନାରେ ନତମସ୍ତକ ସେତେବେଳେ ବିଜେପି ନେତାଙ୍କ ଏଭଳି ବୟାନ ବିଜେପିର ସେନା ପ୍ରତି ଥିବା ସମ୍ମାନକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଉପମୁଖ୍ୟମନ୍ତ୍ରୀ ଦେବଡା ତାଙ୍କ ବୟାନ ପାଇଁ ସେନା ପାଖରେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି ।