କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ଆଜି ଦିନ ତମାମ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ନିଖୋଜ ହୋଇଯାଇଛନ୍ତି ବାପ-ପୁଅ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ପେକେଟ ଗାଁ ନିକଟରେ ରାସ୍ତାରେ ଭୂସ୍ଖଳନ ଘଟିଛି । ପେକେଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବରଙ୍କ ପତ୍ତା ମିଳୁନି । ବାପ ପୁଅ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ପେକେଟ୍ ଗାଁ ନିକଟରେ ଭୂସ୍ଖଳନ ଯୋଗୁଁ ରାୟଗଡ଼ ଠାରୁ ରା.ଉଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ରାସ୍ତା କଡ଼ରୁ ମାଟି ଅତଡା ଖସିଛି । ଫଳରେ ଅଢେଇ ଗାଁ ଓ କୁଜାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ମହେନ୍ଦ୍ରଗିରି ପର୍ବତରେ ଫଶି ରହିଥିବା ୧୫ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ବନବିଭାଗ । ଗଜପତିର ସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ସହାୟତା ପ୍ରଦାନ କରିବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଗଜପତି ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment