କନକ ବ୍ୟୁରୋ : ସମ୍ବଲପୁର ଓ ସୋନପୁର ସୀମାରେ ପାଉଁଶର ପାହାଡ଼ ଲୋକଙ୍କ ପାଇଁ ଏବେ ଭୟଙ୍କର ସମସ୍ୟା ସୃଷ୍ଟି କରିଛି । ବଡ଼ କଥା ହେଲା ଲୋକଙ୍କ ଅଭିଯୋଗ ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ନଥିବା କଥା କହୁଛନ୍ତି । କିନ୍ତୁ କାହା ସାହସରେ ଏଠାରେ ପାଉଁଶ ପାହାଡ଼ ଛିଡ଼ା ହୋଇଛି ତାହା ବଡ଼ ପ୍ରଶ୍ନ । ବରଗଡ଼, ସମ୍ବଲପୁର ପରେ ଏବେ ସୋନପୁର ଜିଲ୍ଲାରେ ବେଆଇନ ଭାବେ ପଡ଼ୁଛି ପାଉଁଶ । ଉଲୁଣ୍ଡା ବ୍ଲକର ସିଣ୍ଢୋଳ ଅଞ୍ଚଳରେ ଶହ ଶହ ଟ୍ରିପ୍ ପାଉଁଶ ପଡ଼ୁଛି । କିଏ ଓ କାହା ଅନୁମତିରେ ଏଠି ପାଉଁଶ ପଡୁଛି ଏହାର ଉତ୍ତର କାହା ପାଖରେ ନାହିଁ । ଦିନବେଳା ହାଇୱାରେ ଏଠାକୁ ଟ୍ରିପ୍ ଟ୍ରିପ୍ ପାଉଁଶ ଆସୁଛି । ଗାତ ଖୋଳି ପାଉଁଶ ପକାଯାଉଛି । ଡୋଜିଂ କରିବାକୁ ଦୁଇଟି ଜେସିବି ଅହରହ ଲାଗିଛି । ଏହା ଯେମିତି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ନଜର ନଆସେ ସେଥିପାଇଁ ମାଟିର ପାହାଡ଼ ତିଆରି କରାଯାଇଛି । ଚର୍ଚ୍ଚା ହେଉଛି ଯେ ଛତିଶଗଡ଼ର କେହି ଜଣେ ବ୍ୟକ୍ତି ଏଠି ପାଉଁଶ ପକାଉଛନ୍ତି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରତିବାଦ ଓ ଅଭିଯୋଗ କରିବା ପରେ ମଧ୍ୟ ନା ପ୍ରଶାସନର ଆଖି ଖୋଲୁଛି ନା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ପାଉଁଶ ପକାଇବାକୁ ମିଳିନି ଅନୁମତି
କିଏ ଦେଉଛି ସାହସ ଓ ସମର୍ଥନ?
ସମ୍ବଲପୁରରୁ ସୋନପୁର ଯିବା ବେଳେ ରାସ୍ତା କଡ଼ରେ ପଡ଼ିଥିବା ଏହି ପାଉଁଶ ପାହାଡ଼ ପାଇଁ ଲୋକେ ବେଶ୍ ହଇରାଣ ହେଲେଣି । ତେବେ ଏଠି ପାଉଁଶ ପକାଇବାକୁ ଅନୁମତି ଦିଆଯାଇଛି ନା ନାହିଁ ଏନେଇ ବଲାଙ୍ଗୀର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ଆମେ ପ୍ରଶ୍ନ ପଚାରିଥିଲୁ। ସେ ଏନେଇ କୌଣସି ଅନୁମତି ଦିଆଯାଇନଥିବା କହିଛନ୍ତି । ତେବେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ? ସେନେଇ ପ୍ରଶ୍ନ ଉଠିଛି । କାହିଁକି ପରିବେଶର ହତ୍ୟାରେ ଲାଗି ପଡ଼ିଛନ୍ତି ବେପାରୀ ଓ ପ୍ରଶାସନ? କ’ଣ କରୁଛି ପ୍ରଦୂଷଣ ବୋର୍ଡ? ସର୍ବସାଧାରଣରେ କିମ୍ବା ବିନା ଅନୁମତିରେ ପାଉଁଶ ପକାଇବା ମନା ଥିବା ବେଳେ କେମିତି ବେଫିକର୍ ଭାବେ ଛିଡ଼ା ହୋଇଛି ପାଉଁଶର ପାହାଡ଼ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।