କନକ ବ୍ୟୁରୋ: ଶିଳ୍ପ ସମୃଦ୍ଧ ଓଡ଼ିଶାର ନକ୍ସା ଅଙ୍କାଯାଉଥିବା ବେଳେ ପୂର୍ବରୁ ଏମ୍ଓୟୁ କରିଥିବା ଶିଳ୍ପ ସଂସ୍ଥା ଓଡ଼ିଶା ଛାଡୁଛନ୍ତି । ନୂଆ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ବଦଳରେ ଆନ୍ଧ୍ରକୁ ଭରୁଛନ୍ତି କମ୍ପାନି । ପ୍ରଶ୍ନ ଉଠୁଛି, କାହିଁକି ଭରସା ହରାଉଛି ଓଡ଼ିଶା?
'ୟୁକେ' ର କମ୍ପାନି ଏସ୍ ରାମ୍- ଏମ୍ ରାମ୍ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପ କରିଥାନ୍ତା । ୨୦୨୩ ମାର୍ଚ୍ଚ ୨୯ ତାରିଖରେ ଏନେଇ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ୧୬ ନମ୍ବର ଜାତୀୟ ରାଜପଥ, ଗୋପାଳପୁର ବନ୍ଦର ଓ ରଙ୍ଗେଇଲୁଣ୍ଡା ବିମାନବନ୍ଦର ପାଖରେ ଥିବା ଯୋଗୁଁ ନୂଆ ଶିଳ୍ପ ପାଇଁ ଛତ୍ରପୁର ଥିଲା କମ୍ପାନିର ପ୍ରଥମ ପସନ୍ଦ । ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ହଜାର କୋଟି ନିବେଶ କରି କମ୍ପାନି ଏଠାରେ ଚିପ୍ ତିଆରି କରିଥାନ୍ତା । ୮୦୦ ଏକର ଜମି ଚିହ୍ନଟ ସରିଥିବା ବେଳେ ଓଡ଼ିଶାରୁ ମୁହଁ ଫେରାଇ କମ୍ପାନି ଆନ୍ଧ୍ରପ୍ରଦେଶ ଚାଲି ଯାଇଛି ।
ନିକଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଉପସ୍ଥିତିରେ କମ୍ପାନି ଏମ୍ଓୟୁ କରିଛି । ଅମରାବତୀରେ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ୨୫ ହଜାର କୋଟିର ନିବେଶ କରିବ କମ୍ପାନି । ଆଗକୁ ଓଡ଼ିଶା ସେମିକଣ୍ଡକ୍ଟରର ନୂଆ ହବ୍ ବୋଲି ସରକାର କହୁଥିବା ବେଳେ ଅଧାରୁ କମ୍ପାନି ମୁହଁ ଫେରାଇବା ଅନେକ ପ୍ରଶ୍ନବାଚୀ ଛିଡ଼ା କରିଛି । ବିଜେପି ସରକାରରେ ସବୁ ବଡ଼ ଶିଳ୍ପ ରାଜ୍ୟ ଛାଡ଼ି ପଳାଉଥିବା କହି ସରକାରଙ୍କୁ ଘେରିଛି ବିଜେଡି । ଅନ୍ୟପଟେ ଏହାର ଜବାବ ରଖିଛି ବିଜେପି ।
ଏବେ ପ୍ରଶ୍ନ ଉଠୁଛି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା, ଆନୁସଙ୍ଗିକ ସୁବିଧା ଥାଇ ସୁଦ୍ଧା କାହିଁକି ଓଡ଼ିଶା ଛାଡ଼ୁଛନ୍ତି ସେମିକଣ୍ଡକ୍ଟର କମ୍ପାନି?