କନକ ବ୍ୟୁରୋ : ମଉଳି ଗଲା ଗରିବ ବାପାର ଶେଷ ଆଶା । ହଜିଗଲା ମା'ର ସବୁ ସ୍ୱପ୍ନ। ପୁଅ ରୋଜଗାର କରି ବାପା-ମାଆଙ୍କ ଆଶାବାଡ଼ି ସାଜିବା ଆଗକୁ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି । ଇଂଜିନିୟରିଂ ପାଠ ପଢ଼ିବା ପାଇଁ ଘର ଠାରୁ ଦୂରରେ ରହୁଥିବା ପୁଅର ମୃତ୍ୟୁ ଖବର ପାଇଁ ଭାଙ୍ଗି ପଡ଼ିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବାଞ୍ଚୋ ଗାଁର କାନ୍ଦବୋବାଳି ପଡ଼ିଛି । ବାପା ଆଲୋକ ପଟ୍ଟନାୟକ ପୁଅର ମୃତ୍ୟକୁ ନେଇ ସନ୍ଦେହରେ ପଡ଼ିଛନ୍ତି ।
ପୁଅର ଫଟୋକୁ ଦେଖି ଗୁମୁରି ଗୁମୁରି କାନ୍ଦୁଛି ମାଆ । ସ୍ୱପ୍ନ ମଶାଣି ଜୁଇରେ ଜଳିଯିବା ପରେ ନିର୍ବାକ ହୋଇଯାଇଛନ୍ତି ବାପା,ସ୍ତବ୍ଦ ହାଟଡିହି ବ୍ଲକର ବାଞ୍ଚୋ ଗାଁ । ପୁଅର ମୃତ୍ୟୁରେ ଅବାକ ବାଞ୍ଚୋ ଗାଁର ଆଲୋକ ପଟ୍ଟନାୟକ ଏବଂ ମାଆ ସସ୍ମିତା ପଟ୍ଟନାୟକ । ଇଂଜିନିୟରିଂ ପଢ଼ିବା ପାଇଁ ଢ଼େଙ୍କାନାଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାଡିଥିବା ବଡ ପୁଅର କେମିତି ହେଲା ମୃତ୍ୟୁ । ତାକୁ ନେଇ ମା'ବାପାଙ୍କଠୁ ଗାଁ ସାହି, ସବୁ ଲୋକଙ୍କ ମନରେ ସନ୍ଦେହ । ଛାତ୍ରଙ୍କ ମୃତ୍ୟୁ ପରେ କଲେଜ କର୍ତ୍ତୃପକ୍ଷଙ୍କ ନୀରବତା ସମସ୍ତଙ୍କୁ ସନ୍ଦିହାନ କରିଛି ।
ଢେଙ୍କାନାଳ ଗୋବିନ୍ଦପୁରର ଏକ ଘରୋଇ ଇଂଜିନିୟରିଂ କଲେଜ ପଢ଼ୁଥିଲେ। ବାପା ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରି ପୁଅକୁ ଇଂଜିନିୟର କରିବା ପାଇଁ ଘରୋଇ କଲେଜକୁ ଛାଡ଼ିଥିଲେ। ଗତ ୨ ତାରିଖରେ ଘରକୁ ଆସିଥିଲା ପ୍ରୀତିଙ୍କ ମୃତ୍ୟୁ ଖବର। ପୋଖରୀରେ ବୁଡ଼ି ଛାତ୍ରଙ୍କ ଜୀବନ ଯାଇଥିବା କୁହାଯାଉଛି। କିନ୍ତୁ ପହଁରା ଶିଖିଥିବା ପୁଅ ପୋଖରୀରେ କେମିତି ବୁଡ଼ିଗଲା ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି। ମା' ମନ ତ ବିଲକୁଲ୍ ମାନୁନି। ପୁଅକୁ ହତ୍ୟା କରାଯାଇ ଥିବା ନେଇ ଢେଙ୍କାନାଳ ସଦର ଥାନାରେ ଅଭିଯୋଗ କରିଛନ୍ତି । ପୁଅ ମୃତ୍ୟୁର ଉପଯୁକ୍ତ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରୀ କରିବେ ବୋଲି କହିଛନ୍ତି ପରିବାର ଲୋକେ ଓ ଗାଁଲୋକେ ।