କନକ ବ୍ୟୁରୋ: ପାପ ଲୁଚାଇବା ପାଇଁ କୁନିକୁନି ପିଲାଙ୍କୁ ଦିଆଯାଇଛି ଚେଙ୍କ। ସ୍ୱାମୀ ଅନୁପସ୍ଥିତିର ସୁଯୋଗ ନେଇ ପରକୀୟା ପ୍ରିତିରେ ମାତିଥିଲେ ସ୍ତ୍ରୀ। ମାଆର ସବୁ ପାପକୁ ଦେଖୁଥିଲେ ପିଲା। ସେହି ପାପକୁ ଲୁଚାଇବା ପାଇଁ ମାଆ ଆଗରେ ଛୁଆଙ୍କୁ ଚେଙ୍କ ଦେଉଥିଲା ରସିକିଆ ପ୍ରେମିକ। ବାପାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ମାଆ ଓ ପ୍ରେମିକକୁ ଗିରଫ କରି ଏଭଳି ଏକ କାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ।  

Advertisment

 ଭୁବନେଶ୍ୱର ସ୍ଥିତ ମୈତ୍ରିବୀହାର ଥାନା ଅନ୍ତର୍ଗତ ମହାବୀର ନଗର ବସ୍ତିରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି କଷ୍ଟ ମଧ୍ୟ ଦେଇଛି । ନିଜ ମାର ଅବୈଧ ପ୍ରେମ ସମ୍ପର୍କକୁ କୁନି କୁନି ଛୁଆ ମାନେ ବିରୋଧ କରିବାରୁ ଘରେ ସ୍ୱାମୀ ନଥିବା ବେଳେ ପ୍ରେମିକ ବୁଦ୍ଧିରେ ପଡି ଏହି କୁନି ପିଲାଙ୍କ ଦେହରେ ଗରମ ଚେଙ୍କ ଲଗାଇବାକୁ ପଛାଇନି ନିର୍ଦୟୀ ମା । ଥରେ କି ଦୁଇଥର ନୁହେଁ, ଦୀର୍ଘ ତିନି ଦିନ ଧରି ନିଜ ଦୁଇ ଛୁଆଙ୍କୁ ଏଭଳି ନିର୍ଯାତନା ଦେଇ ଚାଲିଥିଲା ।

ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ବାପା ପ୍ରସନ୍ନ ମୈତ୍ରୀବିହାର ଥାନାରେ ନିଜ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ଲିଖିତ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରେ ପହଞ୍ଚି କୁନି ଭାଇ- ଭଉଣୀଙ୍କୁ ଉଦ୍ଧାର କରିଛି । ନିର୍ଦୟୀ ମା ଓ ସୈତାନ ପ୍ରେମିକକୁ ଗିରଫ କରିବା ସହ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଛୁଆଙ୍କୁ ଚେଙ୍କ ଦେବା ପାଇଁ ବ୍ୟବହୃତ ହୋଇଥିବା ଚିମୁଟାକୁ ମଧ୍ୟ ଜବତ କରାଯାଇଛି । 

ପରକିୟା ପ୍ରୀତି ପାଇଁ ଜନ୍ମ କରିଥିବା ମା କେମିତି ଏତେ ନିର୍ଦୟ ହେଲା ତାହା ଚର୍ଚ୍ଚାର ବିଷୟ ହୋଇଛି।