କନକ ବ୍ୟୁରୋ: ପ୍ରିମାଚ୍ୟୁର ବେବି ( ଅର୍ଥାତ୍ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ)କୁ ନେଇ ଭାରି ମାନସିକ ଅବସାଦରେ ଥିଲା ମାଆ ।ଦିନେ ନିଜର ମାନସିକ ଭାରସାମ୍ୟ ହରାଇ ମାଆ ଏଭଳି କାମ କଲା ଯାହାକୁ ନେଇ ଏବେ ଖବର ଜୋର ଧରିଛି ।
ବେଙ୍ଗାଲୁରୁ ନୀଲାମଙ୍ଗଲା ଟାଉନର ଘଟଣା । ୨୭ ବର୍ଷିୟା ମହିଳା ରାଧା ନିଜର ପ୍ରଥମ ପ୍ରସବ ପାଇଁ ବାପ ଘରେ ଥିଲେ ।ପୁଅଟିଏ ହେଲା ସତ କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲା ଜନ୍ମ ହୋଇଯାଇଥିଲା । ଶିଶୁପୁତ୍ର କ୍ଷୀର ପିଇପାରୁନଥିଲା । ଦିନ ରାତି କାନ୍ଦୁଥିଲା । ସମସ୍ୟା ଏତିକିରେ ସୀମିତ ନଥିଲା । ରାଧାର ସ୍ବାମୀ ମଦ୍ୟପ ଥିଲା । ପିଲାକୁ ଦେଖିବାକୁ କେବେବି ଆସୁନଥିଲା । ଏସବୁକୁ ନେଇ ଘୋର ମାନସିକ ଯନ୍ତ୍ରଣା ଦେଇ ଗତି କରୁଥିଲା ରାଧା । ଦିନେ ଏସବୁ ତାଙ୍କ ପାଇଁ ଅସହ୍ୟ ହେଲା । ତେଣୁ ଷ୍ଟୋଭ ଲଗାଇ ଏକ ହାଣ୍ଡିରେ ପାଣି ସିଝାଇଥିଲେ । ଏଥିରେ କୁନି ପୁଅକୁ ପୂରାଇ ସିଝାଇଦେଇଥିଲେ। ଘର ଲୋକ ଆସି ଦେଖିବା ବେଳକୁ ଆଉ କିଛି ନଥିଲା । ଯାହା ଦୃଶ୍ୟ ଥିଲା ତାକୁ ଦେଖିହେବନି କି ସହିହେବନି । ଏବେ ପୁଲିସ ଏହି ଘଟଣାକୁ ନେଇ ଛାନଭିନ୍ କରୁଛି ।