କନକ ବ୍ୟୁରୋ : ପ୍ରାୟ ଅନେକଙ୍କ ଘରେ ଶାଶୂ-ବୋହୂଙ୍କ କଳି ସାଧାରଣ କଥା । ଟିଭିରେ ବି ଆପଣ ଶାଶୂ ବୋହୂଙ୍କ କଳି ଦେଖିଥିବେ । କହିବାକୁ ଗଲେ ଭାରତରେ ଘରେ ଘରେ ଶାଶୂ-ବୋହୂଙ୍କ କଳି । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ଘଟଣା କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶାଶୂ-ବୋହୂ ସମ୍ପର୍କକୁ ନେଇ ଲକ୍ଷ୍ନୌରୁ ଆସିଛି ଚକିତ କଲା ଭଳି ଘଟଣା । ସ୍ଥାନୀୟ ଏଟାରେ ରହୁଥିବା ଜଣେ ମହିଳା ନିଜ ବୋହୂର ଜୀବନ ବଞ୍ଚାଇବାକୁ ଯାଇ ତାଙ୍କୁ କିଡ୍ନି ଦାନ କରିଛନ୍ତି । ଏହି ଘଟଣା କେବଳ ଲକ୍ଷ୍ନୌରେ ନୁହେଁ, ବରଂ ସମଗ୍ର ୟୁପିରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।
ପରୁଖିବାଦରେ ରହୁଥିବା ପୂଜାଙ୍କ ବିବାହ ୨୦୨୩ ନଭେମ୍ବରରେ ଏଟା ନିବାସୀ ଅଶ୍ବିନୀ ପ୍ରତାପ ସିଂହଙ୍କ ସହ ହୋଇଥିଲା। ଗଲା ଫେବ୍ରୁଆରୀରେ ପୂଜା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ପିଲାଜନ୍ମ ବେଳେ ତାଙ୍କ ପେଟରେ ସଂକ୍ରମଣ ହୋଇଥିଲା। ଏହାର ପ୍ରଭାବରେ ତାଙ୍କର ଦୁଇଟିଯାକ କିଡ୍ନି ୭୫% ପର୍ଯ୍ୟନ୍ତ ଖରାପ ହୋଇଯାଇଥିଲା । ଚିକିତ୍ସା ପାଇଁ ପରିବାର ଲୋକ କାନପୁରଠାରୁ ଆରମ୍ଭକରି ଅନେକ ହସ୍ପିଟାଲ ବୁଲିଥିଲେ । କିନ୍ତୁ କୌଣସି ଫାଇଦା ହୋଇନଥିଲା । ଶେଷରେ ପୂଜାଙ୍କୁ ଲକ୍ଷ୍ନୌ ସ୍ଥିତ ଡ. ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂଜାଙ୍କୁ ବଞ୍ଚାଇବା ପାଇଁ କିଡ୍ନି ପ୍ରତିରୋପଣ ଜରୁରି ବୋଲି ଡାକ୍ତରମାନେ କହିଥିଲେ। କିଡ୍ନି ଲାଗି ପୂଜାଙ୍କ ବାପାଘର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା । ମାଆଙ୍କ ସହ ବ୍ଲଡ୍ ଗ୍ରୁପ ମ୍ୟାଚ କରିବା ପରେ ତାଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସେ ରାଜି ହୋଇନଥିଲେ ।
ଅନେକ ଚେଷ୍ଟା ସତ୍ତ୍ଵେ ଡୋନର୍ ନ ମିଳିବାରୁ ଶେଷରେ ପୂଜାଙ୍କ ଶାଶୂ ବୀନମ ଦେବୀ ଆଗକୁ ଆସିଥିଲେ । ବ୍ଲଡ୍ ଗ୍ରୁପ୍ ମେଳ ଖାଇବା ପରେ ସେ କିଡ୍ନି ଦାନ କରିଥିଲେ । ଚଳିତମାସ ୧୩ ତାରିଖରେ ହସ୍ପିଟାଲରେ କିଡ୍ନି ପ୍ରତିରୋପଣ ସଫଳ ହୋଇଥିଲା । ଫଳରେ ପୂଜାଙ୍କୁ ନୂଆ ଜୀବନ ମିଳିଥିଲା । ପୂଜା ଏବେ ବର୍ଷେ ପର୍ଯ୍ୟନ୍ତ ଡାକ୍ତରଙ୍କ ତଦାରଖରେ ରହିବେ । ଏ ନେଇ ପୂଜା କୁହନ୍ତି, ମୋ ଶାଶୂଙ୍କ ଯୋଗୁ ମୁଁ ବଞ୍ଚିଯାଇଛି । ଈଶ୍ବର ଏଭଳି ଶାଶୂ ପ୍ରତ୍ୟେକ ମହିଳାଙ୍କୁ ଦିଅନ୍ତୁ । ବୀନମ ଦେବୀ କହିଛନ୍ତି, ପୂଜା ମୋର ବୋହୂ ନୁହେଁ । ବରଂ ସେ ମୋର ଝିଅ । ମୋ କିଡ୍ନିରେ ତା' ଜୀବନ ରହିଯାଇଛି । ଏହାଠାରୁ ବଡ଼ ଖୁସି ମୋ ପାଇଁ ଆଉ କିଛି ନାହିଁ । ବୀନମ ଦେବୀଙ୍କ ଏଭଳି କାର୍ଯ୍ୟ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ବି ବିସ୍ମିତ ହୋଇଯାଇଥିଲେ । ଏଥିପାଇଁ ତାଙ୍କୁ ସମ୍ମାନିତ କରିଥିଲେ ।