କନକ ବ୍ୟୁରୋ : ମା’ର ପ୍ରଥମ କ୍ଷୀର ବା କଷ କ୍ଷୀରକୁ କୁହାଯାଏ ଅମୃତ । ଏକାଧିକ ରୋଗକୁ ପ୍ରତିହତ କରିବା ପାଇଁ ମା’ କ୍ଷୀର ପ୍ରତିରୋଧକ ଶକ୍ତି ଭାବେ କାମ କରେ । ହେଲେ କେମିତି କ୍ଷୀର ପିଆଇବେ ମା’, ତାହା ଜାଣିନଥିବାରୁ ଶିଶୁଙ୍କ ଜୀବନ ଯାଉଛି । ଶିଶୁ ମୃତ୍ୟୁକୁ ନେଇ ସମୀକ୍ଷାରୁ ଜଣାପଡ଼ିଛି ଯେ କେବଳ ଜଗତସିଂହପୁର ଜିଲ୍ଲାରେ ୧୪ ଜଣ ନବଜାତକଙ୍କ ମୃତ୍ୟୁ ହୋଇଛି । ଆଉ ମୃତ୍ୟୁର କାରଣ ହେଉଛି ମା’ ଠିକ ଢଙ୍ଗରେ ଶିଶୁକୁ କ୍ଷୀର ପିଆଇ ପାରୁନାହାନ୍ତି । ନଜର ପକାନ୍ତୁ ଏ ସଂପର୍କିତ କିଛି ତଥ୍ୟ ଉପରେ ।
କ୍ଷୀର ପିଆଇବା ବେଳେ ମା’ ବସି ରହିବା ସହ ଶିଶୁକୁ ଠିକ୍ ଢଙ୍ଗରେ ଧରିବା ଉଚିତ
ଶିଶୁକୁ ଶୁଆଇ ସ୍ତନ୍ୟପାନ କରାଇବା ଅନୁଚିତ
ଶିଶୁ ପାଟିକୁ ଅଧିକ ମାତ୍ରାରେ କ୍ଷୀର ଆସିଗଲେ ଶ୍ୱାସ ରୁଦ୍ଧ ହେବା ଆଶଙ୍କା
ଛୁଆ କାନ୍ଦିଲେ କିମ୍ବା କାଶିଲେ ସ୍ତନ୍ୟପାନ ବନ୍ଦ କରିଦେବା ଉଚିତ
ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି ଦିଦି, ଶିଶୁ ମଙ୍ଗଳ ଅଧିକାରୀ, ଆଶା ଦିଦି ଓ ନର୍ସିଂ ଅଫିସର ଏନେଇ ସଚେତନ କରିବା କଥା । ହେଲେ ଅବହେଳା କରାଯାଇଥିବା ସ୍ୱୀକାର କରିଛନ୍ତି ଜିଲ୍ଲା ମେଡିକାଲ ଅଫିସର । ମହିଳା ଓ ଶିଶୁ ବିକାଶ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ତର୍ଜମା କରିବେ ବୋଲି କହିଛନ୍ତି । ମାଆ କ୍ଷୀରକୁ ଡାକ୍ତରୀ ଭାଷାରେ ଲିକୁଇଡ୍ ଗୋଲ୍ଡ ବୋଲି କୁହାଯାଉଛି । ଏହା ଜୀବନ ରକ୍ଷାକାରୀ ହେଲେ ଅସାବଧାନତାରୁ ଜୀବନ ମଧ୍ୟ ନେଇପାରେ। ମା’ମାନେ ଏଥିପ୍ରତି ଯଥେଷ୍ଟ ସଚେତନ ହେବାର ଆବଶ୍ୟକତା ରହିଛି ।