କନକବ୍ୟୁରୋ : ଦୂରରୁ ଜଙ୍ଗଲ ଜଳୁଥିବା ଦେଖି ପାହାଡ଼ ଚଢିଲେ ମାଆ-ଝିଅ । ପ୍ରାୟ ଅଧ କିଲୋମିଟର ଚଢ଼ିବା ପରେ ନିଆଁ ପାଖରେ ପହଞ୍ଚିଥିଲେ । ୨ ଘଣ୍ଟା ଧରି ଗଛ ଡାଳ ସାହାଯ୍ୟରେ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ । କରାଣ ଏଇ ଜଙ୍ଗଲ ତାଙ୍କ ମାଆ-ମାଟି, ଜୀବନ ଆଉ ଜୀବିକା । ଫିଲ୍ମର କାହାଣୀ ପରି ଲାଗୁଥିବା ଏଭଳି ଘଟଣାଟି କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁମାହା ଗାଁର । ଗାଁର ବିମଳା ନାୟକ ଏବଂ ତାଙ୍କ ଝିଅ ଲିପିକା ଏହି ଦୁଃସାହାସିକ କାମ କରିଛନ୍ତି । ତାଙ୍କ ଉଦ୍ୟମ ପାଇଁ ଗ୍ରାମ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଯାଇଛି ।
ବିଳମ୍ବିତ ରାତିରେ ମା-ଝିଅ ଦୁହେଁ ଘର ନଥିବା ଦେଖିଲେ ପରିବାରର ଅନ୍ୟ ସଦସ୍ୟ ସେହି ସମୟ ପରେ ସମସ୍ତେ ଖୋଜିବା ପାଇଁ ବାହାରିପଡିଥିଲେ। ସେହି ସମୟରେ ଝାଳନାଳ ହୋଇ ଜଙ୍ଗଲରୁ ଫେରି ସବୁ ଘଟଣା କହିଲେ ମାଆ ଓ ଝିଅ । ଏକଥା ଶୁଣିବା ପରେ ଉଭୟ ମାଆ-ଝିଅଙ୍କ ଦୁଃସାହସିକତା ପାଇଁ ସମସ୍ତେ ସାବାସୀ ଦେବା ସହ ଜଙ୍ଗଲୀ ଜନ୍ତୁଙ୍କ ହାବୁଡ଼ରେ ପଡ଼ିଥିଲେ କଣ ହୋଇଥାନ୍ତା ବୋଲି ଚିନ୍ତା ପ୍ରକଟ କରିଛନ୍ତି ।