କନକ ବ୍ୟୁରୋ : ବଦଳିଲା ସରକାର, ହେଲେ ସରୁନି ଦାଦନ ଦୁଃଖ । ରାଜ୍ୟରେ ଦାଦନ ଦୁଃଖ ଥମିବା ବଦଳରେ ଦିନକୁ ଦିନ ବଢ଼ିବଢ଼ି ଚାଲିଥିବା ବେଳେ ଏହି ଦାଦନ ପାଇଁ କାହା ମଥାରୁ ସିନ୍ଦୂର ଲିଭିଗଲାଣି, ତ ଆଉ କାହା ମୁଣ୍ଡ ଉପରୁ ବାପାର ହାତ ଉଠିଗଲାଣି । ସେହିଭଳି ଆଉ କୋଉଠି ଘରର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ବାପା,ମା’ ଛାତି ଫଟାଇ କାନ୍ଦୁଛନ୍ତି । ଏହିଭଳି ଦାଦନ ଖଟିବାକୁ ଯାଇଥିବା ଗୋଟିଏ ପରିବାରର ଦୁଇଭାଇ ୨ବର୍ଷ ଭିତରେ ଆଗପଛ ହୋଇ ଆରପାରିକୁ ଚାଲିଯାଇଥିବା ବେଳେ ନିଜର ଦୁଇ ଭେଣ୍ଡିଆ ପୁଅକୁ ୨ବର୍ଷ ଭିତରେ ହରାଇ ଏବେ ଛାତି ଫଟେଇ କାନ୍ଦୁଛି ମାଆ । ଅନ୍ୟପଟେ ପୁଅର ଦେହାନ୍ତ ଖବର ପାଇ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୃଦ୍ଧ ବାପା । ଏବେ କେବଳ ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛନ୍ତି ଅସହାୟ ବୃଦ୍ଧ ବାପା, ମା’ଙ୍କ ସହିତ ପୂରା ପରିବାର । ଏଭଳି ହୃଦୟ ବିଦାରକ  ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟା ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ପଞ୍ଚାୟତର ବଡ଼ଛୁରୁଣୀ ଗ୍ରାମରେ । 

Advertisment

ଗ୍ରାମର ଭଗବାନ ଦାସ ଓ ଅନ୍ନପୂର୍ଣ୍ଣାଙ୍କର ୩ ପୁଅ କରୁଣାକର, ଭରତଚନ୍ଦ୍ର ଓ ବୈଦ୍ୟନାଥ । ବଡ଼ ପୁଅ କରୁଣାକର ନିଜ ଶ୍ୱଶୁର ଘର କୋଣାର୍କ ନିକଟରେ ନିଜ ପରିବାର ସହିତ ରୁହନ୍ତି । ଅନ୍ୟ ଦୁଇ ଜଣ ପୁଅଙ୍କ ଭିତରୁ ମଝିଆ ପୁଅ ଭରତ ହାଇଦ୍ରାବାଦରେ କାମ କରୁଥିବା ବେଳେ ଅବିବାହିତ ସାନପୁଅ ମିଟୁ ଓରଫ ବୈଦ୍ୟନାଥ ଦାସ(୩୨) ତାମିଲନାଡ଼ୁର କାପୁରମ ଜିଲ୍ଲା ଅନ୍ତର୍ଗତ ଶ୍ରୀପେରୁମବୁଦୁର ଅଞ୍ଚଳର ଏକ ଘରୋଇ କମ୍ପାନିରେ ଦୀର୍ଘବର୍ଷ ଧରି କାମ କରୁଥିଲେ । ପରିବାରର ଆର୍ଥକସ୍ଥିତି ସ୍ବଚ୍ଛଳ କରିବାକୁ ଦାଦନ ଖଟିବାକୁ ଯାଇଥିବା ଦୁଇପୁଅଙ୍କ ମଧ୍ୟରୁ ମଝିଆ ପୁଅ ଭରତଚନ୍ଦ୍ରଙ୍କର ପାଖାପାଖି ୨ବର୍ଷ ପୂର୍ବରୁ ହାଇଦ୍ରାବାଦରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ କାଞ୍ଚିପୁରମରେ ବୁଧବାର ଘଟିଯାଇଥିବା ଏକ ଛାତିଥରା ସଡକ ଦୁର୍ଘଟଣାରେ ସାନପୁଅ ବୈଦ୍ୟନାଥ ଦାସ (ମିଟୁ)ଙ୍କର ମଧ୍ୟ ଶୋଚନୀୟ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ---କିଡନି ଖରାପ ତଥାପି କରୁଛନ୍ତି କାମ ; ସହାୟତା ପାଇଁ ସରକାରଙ୍କୁ ଗୁହାରି

ଗୋଟିଏ ରୋଜଗାରିଆ ପୁଅକୁ ହରାଇବାର ଦୁଃଖ ମନରୁ ନଲିଭୁଣୁ ଲିଭିଯାଇଛି ସାନପୁଅର ଜୀବନଦୀପ । ମଝିଆ ପୁଅର ମୃତ୍ୟୁ ପରେ ସାନ ପୁଅ ବୈଦ୍ୟନାଥ ହିଁ ବାପା ମାଙ୍କର ଥିଲା ଏକ ମାତ୍ର ସାହା ଭରସା । ସେତେବେଳେ ଭରତଙ୍କର ସନ୍ଦେହଜନକ ମୃତ୍ୟୁରେ ମୃତଦେହ ଫେରାଇ ଆଣିବାକୁ ଅସମର୍ଥ ପରିବାରବର୍ଗଙ୍କ ନିକଟକୁ ମୃତଦେହ ଫେରାଇ ଆଣିବାର ତତ୍କାଳୀନ ଏସଡିସି ଅଧ୍ୟକ୍ଷ ଡ. ଦେବାଶିଷ ମାଣ୍ଡିଙ୍କ ସହାୟତାର ହାତ ବଢ଼ାଇଥିଲେ ଓ ଶବ ଆଣିବାର ବ୍ୟବସ୍ଥା କରିଥିଲେ । ହେଲେ ଏବେ କାପୁରମରେ ଛାତିଥରା ସଡ଼କ ଦୁର୍ଘଟଣାରେ ଖଣ୍ଡବିଖଣ୍ଡିତ ହୋଇଯାଇଥିବା ବୈଦ୍ୟନାଥଙ୍କ ମୃତଦେହକୁ ଆଖି ଆଗରେ ଦେଖିବାକୁ ଧୈର୍ଯ୍ୟନଥିବା ବୃଦ୍ଧ ବାପା, ମା’ କିଭଳି ମୃତଦେହକୁ ତାମିଲନାଡୁରୁ ଫେରାଇ ଆଣି ଘରେ ପ‌ହଞ୍ଚାଇବେ ସେନେଇ ଚିନ୍ତାରେ ।