କନକ ବ୍ୟୁରୋ: ଲଭ୍ ପରେ ବ୍ରେକଅପ୍...ଏହା ପରେ ଜୀବନ ହାରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । କହିଛନ୍ତି, ପ୍ରେମ ପରେ ଯଦି ପ୍ରେମିକ ବିବାହ କରିବାକୁ ମନା କରନ୍ତି, ପରବର୍ତ୍ତୀ ସମୟରେ ପ୍ରେମିକା ଯଦି ଜୀବନ ହାରନ୍ତି ତାହାଲେ ପ୍ରେମିକ ଦୋଷୀ ନୁହନ୍ତି । କୋର୍ଟଙ୍କ ଏମିତି ରାୟ ପରେ ପୁରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି । କେଉଁ ମାମଲାର ଶୁଣାଣି କରି କୋର୍ଟ ଏମିତି ରାୟ ଦେଲେ ସେନେ ବି ଆଲୋଚନା ଚାଲିଛି ।
କାହିଁକି ଏମିତି କହିଲେ କୋର୍ଟ
ପ୍ରେମ କେତେବେଳେ କାହା ସହିତ ହେବ କହିହେବ ନାହିଁ । ଅନେକ ସମୟରେ ଦେଖାଯାଉଛି କି, ପ୍ରେମ ହେବା ପରେ ପ୍ରେମିକ ବାହା ହେବାକୁ ମନା କରନ୍ତି । ଯାହାକୁ ନେଇ ବିବାଦ ଦେଖାଯାଏ । ଥାନାରେ ଯାଇ ମାମଲା ହୁଏ । କେତେବେଳେ ପ୍ରେମିକା ପ୍ରେମିକ ଦୁଆରେ ଯାଇ ବସୁଥିବା ଦେଖିବାକୁ ମିଳେ । କିଛି ଏମିତି ମାମଲା ଯାଇ ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ମାମଲାରେ କୁହାଯାଇଥିଲା କି, ଜଣେ ଯୁବତୀ ପ୍ରେମ କରିବା ପରେ ପ୍ରେମିକ ଜଣକ ବାହା ହେବା ଲାଗି ମନା କରିଦେଇଥିଲେ । ଯାହାକୁ ନେଇ ଯୁକ୍ତିତର୍କ ହେବା ପରେ ପ୍ରେମିକା ଜଣକ ଜୀବନ ହାରିଦେଇଥିଲେ ।
ଏହାପରେ ପରିବାର ଲୋକ ଥାନାରେ ମାମଲା ରୁଜୁ କଲେ । ମାମଲା ଯାଇ ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ସୂଚନା ଅନୁସାରେ, ପୁଅ ପ୍ରେମ ବିବାହ ପାଇଁ ଘରେ କହିଥିଲେ । ହେଲେ ଏହାକୁ ସ୍ବୀକାର କରିନଥିଲେ ମାଆ । ଯେଉଁଥି ଲାଗି ଯୁବକ ଜଣକ ପ୍ରେମିକାଙ୍କୁ ଏନେଇ ଜଣାଇବା ସହ ବାହାଘର ହେବ ନାହିଁ ବୋଲି କହିଥିଲେ । ଏହାକୁ ନେଇ ପ୍ରେମିକା ନିଜ ଜୀବନ ହାରିଥିଲେ । ଯେହେତୁ ମାଆଙ୍କ କଥାରେ ବାହାଘର ହେଲା ନାହିଁ, ଯୁବତୀ ଜଣକ ଜୀବନ ହାରିଲେ । ତେଣୁ ପ୍ରେମିକର ମାଆଙ୍କ ନାଁରେ ଆତ୍ମହତ୍ୟା ଲାଗି ଉସୁକାଇବା ମାମଲା କରିବା ଲାଗି ଚାର୍ଜସିଟ୍ ଦାୟର କରାଯାଇଥିଲା । ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିବି ନାଗରତ୍ନା ମାମଲାର ଶୁଣାଣି କରି ଚାର୍ଜସିଟ୍ ଖାରଜ କରିଛନ୍ତି । କହିଛନ୍ତି, ଏହି ମାମଲାରେ ପ୍ରେମିକଙ୍କ ମାଆଙ୍କୁ ଦଣ୍ଡ ଦିଆଯାଇପାରିବ ନାହିଁ । ପୁଅ ଜନ୍ମ କରିବା ପରେ ମାଆଙ୍କର ଅଧିକାରୀ ଅଛି ତାଙ୍କୁ ଉପଦେଶ ଦେବାର । କିନ୍ତୁ ଏହାକୁ ନେଇ ଯଦି କୌଣସି ଯୁବତୀ ଆତ୍ମହତ୍ୟା କରନ୍ତି ତାହାଲେ ମାଆଙ୍କୁ ଦୋଷୀ କେମିତି କୁହାଯିବ ।
ପୁରା ମାମଲା କଣ ଥିଲା ?
କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁସାରେ, ଜଣେ ମହିଳା ନିଜ ପୁଅଙ୍କର ପ୍ରେମ ବିବାହକୁ ସ୍ବୀକୃତି ନଦେବା ଏବଂ ପ୍ରେମିକାଙ୍କୁ ଅପମାନଜନକ ମନ୍ତବ୍ୟ ଦେବା ପରି ଅଭିଯୋଗ ଥିଲା । ଖଣ୍ଡପୀଠ କହିଥିଲେ, ସମସ୍ତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିବା ସହ ଚାର୍ଜସିଟ୍ ପଢିବା ପରେ ସ୍ପଷ୍ଟ ହୋଇଥିଲା କି ଆତ୍ମହତ୍ୟା ଲାଗି ତାଙ୍କୁ କିଏ ଉସୁକାଇଥିବାର ଗୋଟିଏ ପ୍ରମାଣ ବି ମିଳିଲାନାହିଁ । ଏହାସହ ମୃତକଙ୍କ ପରିବାର ଯେଉଁ ପରିବାର ନାଁରେ ଅଭିଯୋଗ ଆଣିଛନ୍ତି ସେମାନେ ଜୀବନ ହାରିବା ଲାଗି ଉସୁକାଇଥିବା ପ୍ରବର୍ତ୍ତାଇବା ପରି କୌଣସି ପ୍ରମାଣ ନାହିଁ । ତେଣୁ ଏମିତି ସ୍ଥିତିରେ ଦଣ୍ଡବିଧାନ ହୋଇପାରିବ ନାହିଁ ।
ରାୟକୁ ନେଇ ଅସନ୍ତୋଷ ଝାଡିଲେ ମୃତକଙ୍କ ପରିବାର
କୋର୍ଟ ଏହାମଧ୍ୟ କହିଛନ୍ତି, ପ୍ରେମିକଙ୍କ ପରିବାର ବାହାଘରକୁ ବିରୋଧ କରିଥିଲେ । ହେଲେ ବିବାହ ଲାଗି ରାଜି ନହେବାର ଅର୍ଥ କାହାକୁ ଜୀବନ ହାରିବାକୁ ବାଧ୍ୟ କରିବା ନୁହେଁ । ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇବା ଲାଗି ମୃତକଙ୍କ ଶରୀରରେ କିମ୍ବା ଅନ୍ୟ କିଛି ପ୍ରମାଣର ଆବଶ୍ୟକତା ରହିଛି । ଏମିତିକି ପ୍ରେମ ହେବା ପରେ ଯଦି କୌଣସି ପ୍ରେମୀଯୁଗଳଙ୍କର କୌଣସି କାରଣ ଲାଗି ବାହାଘର ହେଉନି ଏବଂ ଏଥିଲାଗି ପ୍ରତିପକ୍ଷଙ୍କୁ ଦାୟୀ କରାଯାଉଛି ତାହାଲେ ଦଣ୍ଡବିଧାନ ହୋଇପାରିବ ନାହିଁ । କୋର୍ଟଙ୍କ ଏମିତି ରାୟ ପରେ ଅଭିଯୋଗକାରୀଙ୍କ ପରିବାର ଅସନ୍ତୋଷ ହେବା ସହିତ ନ୍ୟାୟ ମିଳିଲା ନାହିଁ ବୋଲି କହିଛନ୍ତି । କିନ୍ତୁ ସେମାନେ ଆଗାମୀ ଦିନରେ ରିଭ୍ୟୁ ପିଟିସନ କରୁଛନ୍ତି କି ଅନ୍ୟ କୌଣସି ପ୍ରଥା ଆପଣାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।