କନକ ବ୍ୟୁରୋ: ସମୟ - ରାତି ୧୨ଟା ୪୮, ସ୍ଥାନ- ଚନ୍ଦକା ଅଭୟାରଣ୍ୟ । ଅଭୟାରଣ୍ୟ ଭିତରେ ଗର୍ଜନ କରି ପ୍ରବେଶ କରୁଛି ହାଇୱା ଓ ଜେସିବି ମେସିନ୍ । ଚାରିପଟେ ଜୀବଜନ୍ତୁ ଓ ମଝିରେ ମୋରମ ଖାଦାନ, ଆଉ ଏହି ଖାଦାନ ଉପରେ ମାଫିଆଙ୍କ ଆଖି । ଆଉ ଠିକ୍ ରାତି ୧ଟା ୧୫ ମିନିଟରେ ବେଧଡ଼କ ଭାବେ ଆରମ୍ଭ ହୋଇଗଲା ମୋରମ ଚୋରି ।
ଜେସିବି ମାଟି ତାଡ଼ୁଛି । ଆଉ ସଙ୍ଗେ ସଙ୍ଗେ ଟ୍ରକରେ ଲୋଡ୍ ହେଉଛି ମୋରମ । ଚନ୍ଦକା ରେଞ୍ଜରେ ଥିବା କୁମାରଖୁଣ୍ଟି ବିଟ୍ ନିକଟ, ଯୋଗିବିଲଠାରେ ଥିବା ହାତୀ ଅଭୟାରଣ୍ୟ ଭିତରେ ଚାଲିଛି ଏଭଳି ମୋରମ ଚୋରି । ଅଭୟାରଣ୍ୟ ଭିତରେ ସନ୍ଧ୍ୟା ୫ ପରେ କୌଣସି ଗାଡ଼ିକୁ ଯିବାର ଅନୁମତି ନଥିବାବେଳେ ଜେସିବି କିଭଳି ମାଟି ତାଡୁଛି ସେନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ବନ ଅଧିକାରୀ । ଡିଏଫ୍ଓଙ୍କ ବିନା ଅନୁମତିରେ ଅଭୟାରଣ୍ୟରେ କେହି ପ୍ରବେଶ କରିପାରିବେ ନାହିଁ । ତେବେ ମାଫିଆଙ୍କ ଏଭଳି କାରନାମା ବଡ଼ବଡ଼ିଆଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରୁଛି ।
ଚନ୍ଦକା ଅଭୟାରଣ୍ୟ ଭିତରେ ଥିବା ଯୋଗିବିଲରେ ରହିଛି ମୋରମ ଖାଦାନ । ପୋଖରୀ ଖୋଳିବା ଆଳରେ ଏଠି ନିୟମିତ ମୋରମ ଚୋରି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଅଭୟାରଣ୍ୟ ଭିତରକୁ ଯିବାକୁ ହେଲେ ବଡ଼ ବଡ଼ ଟ୍ରେଞ୍ଚକୁ ଅତିକ୍ରମ କରିବାକୁ ପଡ଼ିବ । ମାଫିଆମାନେ ପ୍ରଥମେ ଟ୍ରେଞ୍ଚକୁ ପୋତି ଦିଅନ୍ତି । ଆଉ ତାପରେ ଆଗକୁ ବଢ଼ନ୍ତି ।
ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ରାତି ତମାମ ବନ ବିଭାଗ ପାଟ୍ରୋଲିଂ ବି କରୁଛି । କିନ୍ତୁ ଦୁର୍ଭାଗ୍ୟର କଥା ସଭିଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ରାତିତମାମ ଲୁଟ୍ ଚାଲିଛି । ତେବେ ପ୍ରଶ୍ନ ଉଠୁଛି...
- କାହା ଅନୁମତିରେ ରାତି ଅଧରେ ଅଭୟାରଣ୍ୟ ଭିତରେ ପ୍ରବେଶ କରୁଛି ଗାଡ଼ି?
- ମୋରମ ଚୋରି ବିଷୟରେ ବନ ବିଭାଗ ଅଧିକାରୀ ଜାଣିଛନ୍ତି ତ?
- ମାଫିଆ ଓ ବନ ବିଭାଗ ଅଧିକାରୀଙ୍କ ସଲାସୁତରାରେ ଚାଲିଛି କି ଲୁଟ୍?
- ଜୀବଜନ୍ତୁଙ୍କ ସମସ୍ୟା ପାଇଁ କିଏ ଦାୟୀ ହେବ?